ସବୁ ତୀରିଥ ତୋ’ ଚରଣେ
ସବୁ ପୂଣ୍ୟ ତୀର୍ଥ
ଆହେ ଜଗନ୍ନାଥ
ଅଛି ତୋହରି ଚରଣେ,
ବଦ୍ରିନାଥ ଦ୍ୱାରକା
ରାମେଶ୍ଵରମ ଯିବି
ମୁହିଁ ଆଉ କି କାରଣେ??
ତୁମ ପୁରୀ ଧାମ
ଅଟେ ଶ୍ରେଷ୍ଠଧାମ
ଆହେ ମୋର ନୀଳକାନ୍ତ,
ଯହିଁ ବିରାଜମାନ
ତୁମେ ଦାରୁବ୍ରହ୍ମ
ପରଂବ୍ରହ୍ମ ଜଗନ୍ନାଥ ।।
ଆମରି ଓଡ଼ିଆ
ଭ୍ରାତା ଭଗ୍ନୀଙ୍କର
ଏହା ବୈକୁଣ୍ଠ ସମାନ,
ଚାରିଧାମ ଗଲି
ସବୁଠି ପାଇଲି
ପ୍ରଭୁ ତୁମରି ଦର୍ଶନ ।।
ପଢ଼ିଲି ମୁଁ ଗୀତା
ଭାଗବତ ଗାଥା
ମହାଭାରତ ରାମାୟଣ,
ସଂସାର ଯେ ମିଥ୍ୟା
ତୁମେ ସତ୍ୟ ଏକା
ଜାଣିଲି ବିଶିକେଶନ ।।
ତ୍ରେତୟାରେ ମରା
ମରା ଜପି ପରା
ବର ପ୍ରାପ୍ତ ରତ୍ନାକର,
ମହାକାବ୍ୟ କାର,
ରାମାୟଣ ଶାସ୍ତ୍ର
ରଚି ଖ୍ୟାତ ସେ ବିଶ୍ୱର ।।
ପୁରୁଷୋତ୍ତମ ରାମ
ଚଉଦ ବରଷେ
ସୀତା ଲକ୍ଷ୍ମଣଙ୍କ ସାଥେ,
ଫେରିଲେ ଅଯୋଧ୍ୟା
ଜନେ ଦେଲେ ଶ୍ରଦ୍ଧା
ସ୍ୱାଗତ କଲେ ସଙ୍ଗୀତେ ।।
ରାମାୟଣେ ଅଛି
ପିତୃମାତୃ ଭକ୍ତି
ତ୍ୟାଗ ଆଉ ବଳିଦାନ,
ଜ୍ୟେଷ୍ଠ ଆଜ୍ଞାବହ
କନିଷ୍ଠ ସେନେହ
ଭାବଗ୍ରାହୀ ଭଗବାନ ।।
ପ୍ରଭୁ ରାମଚନ୍ଦ୍ର
କର୍ତ୍ତବ୍ୟର ଦାସ
କଲେ ରାବଣର ନାଶ,
ପୁଣି ସତ୍ୟ ଯୁଗ
ହେଉ ଅବତୀର୍ଣ୍ଣ
ଜଗନ୍ନାଥ ଜଗଦୀଶ ।।
ମୋହରି ଜୀବନେ
ଅମା ହୋଇ ନାଶ
ହେଉ ଯେ ଜାଜ୍ଜ୍ୱଲ୍ୟମାନ,
ହୃଦୟ ମନ୍ଦିରେ
ହିଂସା ଦ୍ୱେଷ ଦୂରେ
ମନ ହେଉ ମୋ’ ବିସ୍ତୀର୍ଣ୍ଣ ।।
ସଦା ସତ୍ୟ ପଥେ
ଚାଲିଛି ସଂସାରେ
ନିତି ମୁଁ ତୁମକୁ ଧ୍ୟାୟୀ,
ଜୀବନର ଶେଷେ
ଦେବନି ହେ ମୋତେ
ପ୍ରଭୁ ତୁମଠୁଁ ଦୂରେଇ ।।
ଅନ୍ତିମ ପର୍ଯ୍ୟାୟ
ପର୍ଯ୍ୟନ୍ତ ଚାଲିବି
ତୁମରି ନାମକୁ ଗାଇ,
ଥକି ଗଲେ କେବେ
ହାତ ଧରି ନେବ
ଘେନ ଅଳି ଭାବଗ୍ରାହୀ।।
ଜାନକୀ ମହାନ୍ତ
ବେଙ୍ଗାଲୁରୁ, କର୍ଣ୍ଣାଟକ