ରୌଦ୍ରତାପେ ଉତ୍ତପ୍ତ ଧରିତ୍ରୀ
କିମ୍ପା କର କୋପ ଆହେ ଭାନୁଦେବ
ଧରାକୁ ଜାଳି ଦେଲଣି,
ପଶୁ ପକ୍ଷୀ ନର ସର୍ବେ ହାହାକାର
ସଭିଙ୍କୁ ପଡେ ଭାଳେଣି ।
ତୁମ୍ଭ ରୌଦ୍ରତାପେ ଭୁପୃଷ୍ଠର ଜଳ
ହେଲାଣି ପାତାଳ ଗାମୀ,
ଅସହ୍ୟ ଉତ୍ତାପ ସହି ନ ପାରିଣ
ଲାଭା ଉଦ୍ଗାରଇ ଭୂମି ।
‘ଅଂଶୁଘାତ’ ର ହେଉଛନ୍ତି ଶିକାର
ଦଣ୍ଡେ ଘରୁ ବାହାରିଲେ,
ବହେ ଝାଂଜି ଖରା ଯେହ୍ନେ ନିିଆଁ ହୁଳା
ଅସମ୍ଭାଳ ଦିବାବେଳେ ।
ପ୍ରଚଣ୍ଡ ଉତ୍ତାପ ସହି ନ ପାରିଣ
କାଢ଼େ ଦେହୁ ଅଳଙ୍କାର,
ରାଣୀ ବେଶ ଛାଡ଼ି ଦାସୀ ବେଶ ଧରେ
ବିକଟାଳ ରୂପ ତା’ର ।
ତା ‘ ସନ୍ତାନ କ୍ଳେଶ ନ ପାରଇ ସହି
ମନ ବଡ ଅବଶୋଷ,
ଡାକଇ ପ୍ରଭୁଙ୍କୁ ଆକୁଳ ସ୍ୱରରେ
ହୁଅ ଦୀନବନ୍ଧୁ ତୋଷ ।
ନିଜ ସ୍ୱାର୍ଥ ପାଇଁ କରୁଛି ବିନାଶ
ବୃକ୍ଷ ଲତା ଜାତି କୁଳ,
ନିଜେ ଗୋଡ଼େ ନିଜେ ମାରୁଛି କୁରାଢ଼ୀ
ବିପଦ ନିଜେ ସମ୍ଭାଳ ।
ସୁଧୁରି ଯାଅ ରେ ମୁରୁଖ ମାନବ
ଏବେ ବି ସମୟ ଅଛି,
ବେଳ ଥାଉ ଥାଉ ସଜାଗ ନ ହେଲେ
ଆଉ ପାରିବୁନି ବଞ୍ଚି ।
ଗଛ ଟିଏ ପୋତି ବଞ୍ଚାଅ ଏ ସୃଷ୍ଟି
ତେବେ ପାଇବୁ ମୁକତି ।।
ଝରଣା ତନ୍ତୀ
ସୁନ୍ଦରଗଡ