*ଭଉଣୀ ବୋଲି ତୁ ଡାକିଥିଲୁ ଯେଵେ*
ଭଉଣୀ ବୋଲି ତୁ ଡାକିଥିଲୁ ଯେଵେ
ଲୁହ ପଡିଥିଲା ଝରି,
କହୁଛି ଆଜି ମୁଁ ତୋର ସେ’ ଭଉଣୀ
ଆ’ରେ ପୁଣି ତୁ ଫେରି.।।
କଉଠି ଲୁଚିଛୁ ଭାଇ ମୋ’ର ଆଜି
ପାଉନି ତୋତେ ମୁଁ ଖୋଜି,
ଯାହା ତୁ’ କହିବୁ ସଵୁ ମୁଁ, କରିଵି
ତୋ’ କଥାରେ ହେବି ରାଜି.।।
କଳି କରିବିନି କେଵେ ତୋ ସାଙ୍ଗରେ
କହିଵିନି କେଵେ ମିଛ,
ବାପାଙ୍କ ପାଖେ ତୋ ନାଁ କହିଵିନି
ହେବିନି ତୁ ପାଇଁ ବୋଝ।।
ଦେଶ ପାଇଁ ତୁହି ସହିଦ ହୋଇଲୁ
ମୋତେ ଆଜି ଭୁଲି ଗଲୁ,
ଆମ ସମସ୍ତଙ୍କୁ ଗର୍ବିତ ଯେ କରି
କେଁଣେ ଏକା ଚାଲିଗଲୁ।।
କିଏ ସେ ମୋ ଚୁଟି ଟାଣି ଚିଡ଼େଇଵ
ଦୁନିଆ ସହ ଲଢିଵ,
ସହସା ଆଖିରୁ ନିର୍ଗତ ଲୁହକୁ
କିଏ ସେ ପୋଛି ପାରିବ।।
ଆଜି ରାକ୍ଷୀ ମୁଁ କାହା ହାତେ ବାନ୍ଧିବି
ମନେପଡେ ତୋ କଥାରେ,
ଫେରି ଆସନ୍ତୁନି ଥରୁଟିଏ ପାଇଁ
ସ୍ଵପ୍ନରେ ଅବା ସତରେ।।
ମଧୁସ୍ମିତା ମିଶ୍ର
ଯୁକ୍ତ ତିନି ଛାତ୍ରୀ ବାଣିଜ୍ୟ ବିଭାଗ
ସିମୁଳିଆ ମହାବିଦ୍ୟାଳୟ,ସିମୁଳିଆ