ପୁଷ ପୂନେଇ
ପଉଷ ମାସର ପୂର୍ଣ୍ଣମୀ ତିଥିରେ
ପୁଷ ପୂନେଇ ପରବ
ପଶ୍ଚିମ ଓଡିଶାର ଆଞ୍ଚଳିକ ଏହି
କୃଷିଭିତ୍ତିକ ପରବ ।
ନାନା ରକମର ପିଠାପଣା ସାଥେ
ଆରିସା କାକରା ମଣ୍ଡା
ଘରେ ଘରେ ହୁଏ ଦୁଦୁରା ର ପିଠା
ଭୁଞ୍ଜନ୍ତି ଗଣ୍ଡାକୁ ଗଣ୍ଡା ।
ଧାନ ଅମଳର ସମୟ ଆସିଛି
ସର୍ବ ହରଷ ପରାଣେ
ଖୁସିର ପରବ ପାଳିବେ ସରବେ
ହର୍ଷ ଉଲ୍ଲସିତ ମନେ।
କୃଷକ ଭାଇନା ଆନନ୍ଦରେ ସିନା
ବରଷକେ ଥରେ ପାଳେ
ଲକ୍ଷ୍ମୀ ଠାକୁରାଣୀ ପାଦେ ଦେଇ ଧ୍ୟାନ
ଗୁଜୁରାଣ ମେଣ୍ଟେ ଭଲେ।
ପୁଷ ପୂନେଇ ର ଛେର୍ ଛେରା ପରା
ଲାଗ ଇ କେତେ ମଜା
ପିଲାଠୁ ବୁଢାଯାଏ ସବୁରି ହୃଦୟେ
ହସଖୁସି ବାଣ୍ଟେ ଖଜା ।
ଫଳମୂଳ ଶାକ ପନିପରିବା ଯେ
ମିଳଇ ସଦା ପ୍ରଚୁର
ମନ ମଉଜରେ ଭୁଞ୍ଜନ୍ତି ସଭିଏଁ
ତିଅଣ ଶାଗ ଶାକର ।
ଜାତି ଭେଦ ଭାବ ଭୁଲି ଯିବା ସର୍ବେ
ଭାଇଚାରା ଭାବ ବହି
ଏକତାର ମନ୍ତ୍ର ପ୍ରତି ହୃଦ ତନ୍ତ୍ର
ଜାଗି ଉଠୁ ସର୍ବେ ଭାଇ ।
*************************
ପ୍ରସନ୍ନ କୁମାର ମେହେର
ଦିଗଶିରା, ଡୁଙ୍ଗୁରିପାଲି, ସୁବର୍ଣ୍ଣପୁର