ପ୍ରେମକବିତା
ଗୋଟିଏ ପ୍ରେମ କବିତା ଲେଖିବା
ଆଉ ଟିକେ ପ୍ରେମକୁ ଭୋଗିବା
ପୁଣି ଥରେ ପ୍ରେମରେ ପଡ଼ିବା
ଗୋଟାପଣେ ପ୍ରେମକୁ ଅନ୍ତସ୍ଥ କରିଦେବା
ନିଜ ନିଜ ଭିତରେ ନୀରବରେ
ଆ ପୁଣି ଥରେ ପ୍ରେମ କରିବା ।।
ତୋର ମନେଅଛି ସେଇ ଗପ
ଯାହାକୁ ମୁଁ ତୋତେ ଶୁଣାଇଥିଲେ ସନ୍ତର୍ପଣରେ
ସେ ଚିତ୍ରଲେଖା ର ଇତି କଥା
ଆଉ ଉପପାଦ୍ୟର ଉପକ୍ରମ କି ଉପସଂହାର
ତୁ ଜାଣୁ ଆଉ ମୁଁ ବି ଜାଣେ
ଚିତ୍ରଲେଖା ନିତି ରାତିରେ କେମିତି ସ୍ବପ୍ନ ଦେଖେ
ବେଳାଭୂମିରେ ଗଢା ହୁଏ ବାଲିର ମହଲ
ଦେଖ ରାଜା ରାଣୀ ଦୁହେଁ ଗଣୁଛନ୍ତି ଲହଡ଼ି
ଏ ସବୁ ସ୍ବପ୍ନ ବା ; ସ୍ୱପ୍ନରେ ସ୍ବପ୍ନ କଡ ମୋଡେ
ଆଚ୍ଛା , ସେ ଗପ ତୋତେ ଭଲ ଲାଗିଥିଲା ନୁହେଁ
କିନ୍ତୁ , ପୁଣି କଣ ହେଲା ଯେ
ଆଜି ଯାଏ ଥରେ ହେଲେ ଚିତ୍ରଲେଖାକୁ ଖୋଜିଲୁ ନାହିଁ ।।
ତୋତେ ମୋ ରାଣ
ତୁ ଆଉ ବେଳାଭୂମି ରେ ବାଲିଘରର
ଠିକଣା ଖୋଜେନା
ଅତୃପ୍ତି ର ଆକାଶରେ
ପରିତ୍ରାଣ ର ଜହ୍ନ ମାଗେନା
ତୁ ସାଇତି ନେଉଛୁ କାହିଁକି ନିଜ ଭିତରେ
ଯେତେ ଅଭିମାନର ଦରଦ ପୃଷ୍ଠା
ପ୍ରେମିକାର ଆଲିଙ୍ଗନର ମୁଦ ଦେଇ
ଅତୀତର ଅଭିମାନ କୁ ଫିଙ୍ଗିଦେ ଦୂରକୁ
ପୁଣି ଥରେ ପ୍ରେମରେ ପଡ଼ିଯା ,ଲୁହକୁ ବିକିବା ଶିଖିଯା
ଏମିତିରେ ତୁ କେବେ ମୋ ରାଣ ରଖିଛୁ ଯେ
ବାସ୍ ଏ ଥରକ ମାନିଯା ।।
ଟିକେ ନିରିଖେଇ ଦେଖ ତ
ଅନ୍ଧାର ଏବେ କେତେ ବହଳ
ଆହୁରି ଅନେକ ପ୍ରହର ବାକି ଭୋର୍ ର ଠିକଣା କୁ
କାହିଁକି ଭୋଗୁଛୁ ଅନ୍ଧାର ,
ଏ ଅନ୍ଧାର ସବୁ ମୋ ଭାଗର ଅଭିଶାପ , ବୋଧେ ତୁ ଜାଣୁ!
ଏତେ ପରେ ବି ମୋ ଆଖି
ମାପି ପାରୁନି ଏ ଅନନ୍ତ ଦୂରତାକୁ
ତୁ ଏତେ ପାଖରେ କେମିତି ଯେ ମୋର ।।
ତୁ ମୁକ୍ତ ଏବେ
ଡ଼େଇଁ ଯା ବନ୍ଧନର ପରିସୀମା
ପୁଣିଥରେ ପ୍ରେମ ରେ ଉଡ଼ାଣ ଭର
ସେ ଦୂର ଆକାଶ ବା ତୋର
ଅନୁରାଗର ଶବ୍ଦ ବର୍ଣ୍ଣ।ଳୀରେ
ଲେଖି ଦେ ପୁଣି ଗୋଟେ ପ୍ରେମକବିତା ।।
ରଶ୍ମିରେଖା ଦାସ
କଟକ