ପ୍ରେମ ସୁନ୍ଦର
ମୂଷଳ ଧାରାରେ ବରଷୁଛି ମେଘ
ମାରୁଛି ବିଜୁଳି ଓ ଘଡଘଡି
ପଥିକ ବିଚରା ଚାଲିଛି ଏକାକୀ
ମୁଣ୍ଡେ ତୋଳି ଧରି ତା ଛତାବାଡି ।
ମାନୁନାହିଁ ସିଏ ହିଡ଼ ଖାଲ ଢିପ
ଚାଲୁଅଛି ଡେଇଁ ପାଦ ବଢାଇ
ବୁଲାଣି ବଙ୍କାଣି ବାଟରେ ନଯାଇ
ପହଞ୍ଚିବ ଶିଘ୍ର ଗୃହରେ ଯାଇ ।
ନିରାପଦ ସ୍ଥାନ ଆପଣାର ଗୃହ
ହେଉ ଛାତ ଅବା ଚାଳ ଛପର
ଦିଶଇ ଉଜ୍ଜ୍ୱଳ ସ୍ନିଗ୍ଧ ସୁଶୀତଳ
ଅଜାଡି ଦିଅଇ ସ୍ନେହ ମଧୁର ।
ଜନନୀ ଭଗିନୀ ଜାୟାଙ୍କ ସୋହାଗ
ପ୍ରେମ ମଧୁବୋଳା ପଦିଏ କଥା
ଦୂର କରିଦିଏ ଯେତେ ଝଡଝଞ୍ଜା
ଦୁଃଖ ଅବସାଦ ସକଳ ବ୍ୟଥା ।
ବୈକୁଣ୍ଠ ସମାନ ଅଟେ ନିଜଘର
ନିର୍ଭୟ ଆଶ୍ରୟ ତାହାର କୋଳ
ଗଢେ ସୁସମନ୍ଧ ମଧୁର ସମ୍ପର୍କ
ବରଷେ କିରଣ ପ୍ରେମ ସୁନ୍ଦର ।
ସବୁଜ ସୁନ୍ଦର ଜୀବନ ଆଧାର
ଆମ ପରିବାର ପାଦପ ଛାୟା
ହସୁ ଫୁଲଫଳେ ସୁବାସ ସୁଗୁଣେ
ହେଉ ଉପଯୋଗ ଆଦର୍ଶ ଭରା ।
ଭରତବନ୍ଧୁ ବିଶ୍ୱାଳ
ଉପର ବରୁଆଁ ,କବୀରପୁର ,ଯାଜପୁର