ବଗୁଲା ବଗୁଲି
ପୋଖରୀ ତୁଠରେ ମନ ଦୁଃଖ କରି
ବସି ରହିଛି ବଗୁଲା
ବଗୁଲି ତା ସାଙ୍ଗେ କଳହ କରିଣ
ବାପଘର ଚାଲିଗଲା
କଅଣ କରିବ ବଗୁଲା ବିଚରା
ବୁଦ୍ଧି ବାଟ ଦିଶୁ ନାହିଁ
ଶ୍ଵଶୁର ଘରକୁ ଯିବବୋଲିସିଏ
ହେଉଅଛି ହାଇଁ ପାଇଁ
ନାରୀ ସ୍ବାଧିନତା ଆଇନ୍ ରହିଛି
ସେ ପାଇଁ ଲାଗୁଛି ଭୟ
କୁଟା, କାଠି ଆଣି ଘର କରି ଥିଲା
କିଏସେ ରହିବ କୁହ
ହାତ ଧରି ତାକୁ ଅନୁରୋଧ କରି
କଲା କେତେ ନିବେଦନ
ଘର ଛାଡ଼ି ନ ଯିବାକୁ କହିକରି
ଧରି ଥିଲା ନିଜ କାନ
ତା କଥାକୁ ସବୁ ନ ଶୁଣି ବଗୁଲି
ଚାଲିଗଲା କରି ପର
ପୁରୁଣା କଥାକୁ ଭାବୁଛି ବଗୁଲା
ନେତ୍ରୁ ଝରିପଡେ ନୀର
ସାକ୍ଷୀ ଏକା ତାର ବୁଢ଼ା ବରଗଛ
ସବୁ ଦେଖୁଅଛି ବସି
କାହିଁ କେତେ କାଳୁ ରହିଛି ଏ ଗଛ
ଓହଳ ତା ମୂକ ସାକ୍ଷୀ
ଦୁନିଆଁ ଜାଣିଲେ କଣ କହିବ
ଶୁଖି ଯାଉଛି ତା ମୁହଁ
ମନେପଡେସବୁ ପୁରୁଣାସ୍ମୂତି ତା
ଅନ୍ତରୁ ଉଠଇ କୋହ
ଦାମ୍ପତ୍ୟ କଳହ ବଡ ଦୁର୍ବିସହ
ଦିଅଇ ବହୁତ ଦୁଃଖ
ବଗୁଲିକୁ ମୋର ଫେରାଇଆଣ ହେ
ପ୍ରଭୁ ଶ୍ରୀ କଳା ଶ୍ରୀମୁଖ ।
ପ୍ରତିମା ଶତପଥି
ଭାଗବତ ପୁର, ଯାଜପୁର ଟାଉନ