ପାଠପଢ଼ା ଭୁଲିଗଲି
ଆଜିର ଶିକ୍ଷକ ରୂପ ମୋ ଅନେକ
ସବୁ କାମ କରିପାରେ
ଶିକ୍ଷାଦାନଟା ମୋ ପଛେ ରହିଯାଏ
ଅନ୍ୟନ୍ୟ କାମକୁ କରେ।
ଜନ ଗଣନାଠୁ ଭୋଟର ତାଲିକା
ଗରିବ ଗଣନା କରେ
କେତେବେଳେ ପୁଣି କଣ୍ଟ୍ରାକ୍ଟର ହୋଇ
ଘରକୁ ନିର୍ମାଣ କରେ।
ଆଉ କେତେବେଳେ ଡାକତର ସାଜି
ଅଉଷଧ ବାଣ୍ଟୁଥାଇ
ସାଜି ମେହେନ୍ତର କରେ ପରିଷ୍କାର
ସଉଚାଳୟକୁ ମୁହିଁ।
ପ୍ରମାଣ ପତ୍ରଟା ଅଛି ମୋ ପାଖରେ
ଶିକ୍ଷକତା କରିବାକୁ
ନିଯୁକ୍ତି ପାଇଣ ଶିକ୍ଷକ ଭାବରେ
ଭୁଲିଲି ପାଠ ପଢ଼ାକୁ।
ପ୍ରମାଣ ପତର ନଥାଇ ପାଶରେ
ଅନେକ ଚାକିରି ମୋର
ଯନ୍ତିରୀ ଗୁମାସ୍ତା ଝାଡୁଦାର ସାଥେ
ସଜାଇଲେ ଡାକତର।
ରୋଷେୟା ସାଜିଲି ପୋଷାକ ବାଣ୍ଟିଲି
ଚାଉଳ ପୁସ୍ତକ ଧରି
ଦୁଆର ଦୁଆର ବୁଲିଣ ବାଣ୍ଟିଲି
ପାଇ ମାଷ୍ଟର ଚାକିରୀ।
କକ୍ଷଚ୍ୟୁତ ତାରା ଭଳି ମୋ ଜୀବନ
ଲକ୍ଷ୍ୟ ଚ୍ୟୁତ ହୋଇଗଲି
ସରକାରୀ କର୍ଯ୍ୟ ସମ୍ପାଦନ କରି
ପାଠପଢ଼ା ଭୁଲିଗଲି
ଭାସ୍କର ରାଉତ,ଦେବମାୟା ଭବନ
ଶେରଗଡ଼, ଗଞ୍ଜାମ
୯୭୭୬୪୮୬୬୨୮