ନିଷ୍ଫଳ ଜୀବନ ଏହି
ସତ୍ୟ ସତ୍ୟ ବୋଲି କେତେ ମୁଁ ଖୋଜିଲି
ସତ୍ୟକୁ ପାଇଲି ନାହିଁ,
ଅସତ୍ୟ ପଛରେ ସତ୍ୟ ଲୁଚି ଗଲା
ଅସତ୍ୟ ହସିଲା ଚାହିଁ,
ନିଷ୍ଫଳ ଜୀବନ ଏହି।
ସତ୍ୟ ଅସତ୍ୟର ଖେଳ ଭିତରେ ମୁଁ
ନିଜକୁ ପାଇଲି ନାହିଁ।
ନ୍ୟାୟ ନ୍ୟାୟ ହୋଇ ନ୍ୟାୟ ପଛେ ଗଲି
ନ୍ୟାୟ ତ ମିଳିଲା ନାହିଁ,
ଅନ୍ୟାୟର ପାଖେ ନ୍ୟାୟ ହାରି ଗଲା
ଅନ୍ୟାୟ ହେଲା ବିଜୟୀ,
ନିଷ୍ଫଳ ଜୀବନ ଏହି।
ନ୍ୟାୟ ଅନ୍ୟାୟର ସଂଗ୍ରାମ ଭିତରେ
ହାରି ଗଲି ନିଜ ପାଇଁ।
ଧର୍ମ ଧର୍ମ କହି ଧର୍ମ କର୍ମ କଲି
ଧର୍ମ ବି ରହିଲା ନାହିଁ,
ଅଧର୍ମର ଡରେ ଧର୍ମ ଚାଲି ଗଲା
ଅଧର୍ମ ହୃଦେ ହସଇ,
ନିଷ୍ଫଳ ଜୀବନ ଏହି।
ଧର୍ମ ଅଧର୍ମର ଡର ଭିତରେ ମୁଁ
ଡରିଗଲି ଆଜି ମୁହିଁ।
ଶାନ୍ତି ଶାନ୍ତି ହେଇ ଶାନ୍ତ ମୁଁ ରହିଲି
ଶାନ୍ତି ତ ମିଳିଲା ନାହିଁ,
ଅଶାନ୍ତିର ବଳେ ଶାନ୍ତି ଭାଙ୍ଗି ଗଲା
ଅଶାନ୍ତି ଜୀବନ ଦେଇ,
ନିଷ୍ଫଳ ଜୀବନ ଏହି।
ଶାନ୍ତି ଅଶାନ୍ତିର ବଳ ଭିତରେ ମୁଁ
ଅସହାୟ ଗଲି ହୋଇ।
ଜଗମୋହନ ପ୍ରଧାନ
ଯାଜପୁର