ନିଶ୍ବାସ ପଡିଛି ବନ୍ଧା
ବୟସ ବଢୁଛି ସମୟ ସରୁଛି
ନିଶ୍ବାସ ପଡିଛି ବନ୍ଧା,
ଜୀବନ ମୃତ୍ୟୁକୁ ଅନେଇ ବସିଛି
ସମୟ ହାତରେ ଛନ୍ଦା।।
ଅସହାୟ ଆଜି ହୋଇ ମୁଁ ପଡିଛି
ଇଚ୍ଛା ନାହିଁ ବଞ୍ଚିବାକୁ,
ମିଛ ପ୍ରତିଶ୍ରୃତି ଦିଅ କାହିଁ ପାଇଁ
ଭୟ କରେନି ମୃତ୍ୟୁକୁ।।
ସମୟ ଆସିଛି ଅପସରି ଯିବ
ଜୀବନର ତାଳେ ତାଳେ,
ଆଜି ଶିଶୁ କାଲି ବୃଦ୍ଧ ତୋ ହୋଇବ
ମୃତ୍ୟୁରେ ପଡିବ ତଳେ।।
ବିଶ୍ବ ଉପନ୍ୟାସ ନାୟକ ହୋଇଣ
ନାଟକ କରୁ ମହୀରେ,
ସମୟର ଅନ୍ତେ ଅଭିନୟ ସାରି
ପ୍ରାଣୀ ବାହୁଡି ଯାଏରେ।।
ମୁଖର ହସକୁ ଓଠରେ ଭରି ଯେ
ସ୍ବାଗତ ହେଉ ମଞ୍ଚରେ,
ପୁଣି ବିଦାୟ ବେଳେ କର୍କଶ ସ୍ବର
ବିସ୍ମିତ କରି ଦିଏରେ।।
ପ୍ରତି ମୂହୁର୍ତ୍ତର ସମୟ ଆମକୁ
ଚେତାବନୀ ଦେଇ କୁହେ,
ବେଳ ଥାଉ ଥାଉ ସଜାଗ ହୋଇଲେ
ମୁଁ ଅମୂଲ୍ୟ ହୋଇ ରୁହେ।।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ