ନର୍କ
କବାଟ ଖୋଲିଦିଅ ଡମ୍ବରୁ।ବାବୁ ଆସିଗଲେ ପରା।ପଚାରିବ ଖାଇଛି କି ନାହିଁ।ନ ଖାଇଥିଲେ କିଚେନରୁ ଦେଇଦେବ ଖାଇବା ଆଉ ମନା କଲେ ଧରି ଧରି ରୁମ୍ କୁ ନେଇଯିବ।ଟଳୁଥିବ ସେଟା, ଯେମିତି ନିଇତି ଟଳେ। ଆଗରୁ ତ ରାତିରେ ଏବେ ତ ଦିନରେ ବି ଟଳୁଛି।
ମୋ ବେକରେ ବାନ୍ଧିଦେଇ ମା’ ଟା ଚାଲିଗଲା। କ’ଣ ନାହିଁ ମୋର।କୋଉଥିରେ ଅଭାବ।ଭଲ ତ ପଢ଼ୁଥିଲା ପିଲାଟା।ଗୁଣର ବି ଥିଲା। କ’ଣ ହେଲା ଏମିତି ମା’ ଗଲା ପରେପରେ ପୁରା ବିଗିଡ଼ି ଗଲା।ଅଭାବ ତ ରଖିନି କିଛି।ପ୍ରେମଫ୍ରେମ ଅଡ଼ୁଆ କିଛି ଥିବ କାଳେ।ବୁଲେଇ ବଙ୍କେଇ ପଚାରିଛି। ହେଲେ ସ୍ପଷ୍ଟ ଉତ୍ତର ପାଇନି। ଆରେ ପିଲା ସିନା ମନକଥା ମା’କୁ ନିର୍ଦ୍ଵନ୍ଦରେ କହିପାରେ।କିଏ କୋଉ ବାପକୁ କୁହେ ଯେ।ତା’ ପାଦ ଟଳମଳ ବୟସରେ ତ ମା’ଟା ଚାଲିଗଲା।ଆଉ ମୁଁ..! ମୁଁ ଖାଲି ଯାହା ଘାଣ୍ଟି ହଉଛି ଏଇ ନର୍କରେ ଏକଲା… ବିଲକୁଲ୍ ଏକଲା।ନା ଖାଇବା ଋଚୁଛି ନା ନିଦ ହଉଛି।ଏ ଡହଳବିକଳ ଜୀବନ ନେଇ କାହିଁକି ବଞ୍ଚିଛି ମୁଁ କେଜାଣି। ଯାହାକୁ ଆଶା କରିଥିଲି ସେ ତ ମାଟିରେ ଗଡୁଛି।କିଏ ଛେପ ପକଉଛି ତ କିଏ ଶୋଧୁଛି।ଏଇଆ ଦେଖିବାକୁ ଶୁଣିବାକୁ କ’ଣ ବଞ୍ଚିଛି।କେତେ ଘାଣ୍ଟିବ ପ୍ରଭୁ। ମୋ’ର ହେଳା କୋଉଠି ରହିଲା।ବଞ୍ଚେଇ ରଖିଛ ଆଉ କ’ଣ ଦେଖବାକୁ ପ୍ରଭୁ।’
ବାବୁ…ବାବୁ ଦୌଡ଼ି ଆସନ୍ତୁ ଦେଖନ୍ତୁ ସାନବାବୁ ଦୁଆର ମୁହଁରେ ପଡିଛନ୍ତି ଆଉ ପାଟିରୁ ରକ୍ତ…।ଯେତେ ଡାକିଲେ ଉଠୁ ନାହାନ୍ତି’।
ଆରେ ସେଇଟା ବାହାନା କରୁଥିବ ଡମ୍ବରୁ। ଯାଉଛି ଯାଉଛି ଦେଖେ।
ହେଇ କ’ଣ ହେଲାରେ ତୋର।କଥା କହୁନୁ କାହିଁକି।ଉଉଠୁ ତୋ ଡମ୍ବରୁ ମଉସା ଚିକେନ ଝୋଳ ରଖିଛି ତୋ ପାଇଁ। ଉଠୁ ରେ ବାବା।ହେ ଡମ୍ବରୁ ପାଣି ଆଣ।
‘ବାବୁ ସାନବାବୁ ସାର୍ଟ ପକେଟରୁ ଏଇ କାଗଜ ଟା…’
ଏଇଟା ତ ବ୍ଲଡ଼ ରିପୋର୍ଟ ବର୍ଷେ ପୁରୁଣା ଆଉ ରିପୋର୍ଟରେ… ବ୍ଲଡ଼ କ୍ୟାନ୍ସର…ହେ ପ୍ରଭୁ…!
ମୋ ବଞ୍ଚିବାର ଶେଷ ବାହାନା ଟାକୁ ବି ଛଡ଼େଇ ନେଲ।ଏ ନର୍କ ଯନ୍ତ୍ରଣାରୁ ମୁକ୍ତି ଦିଅ।
ଆଉ ବଞ୍ଚିବି କାହିଁକି…ଆଃ ଆଃ ମୋ ଛାତି…!!!
ଜୁମର ନାଥ ପାତ୍ର
ବାଲେଶ୍ଵର