ମୃତ୍ୟୁ
କାଗଜ କଲମ ଧରି
ବସିଗଲେ କବିଗଣ ଲେଖିବେ କବିତା
ଶୀର୍ଷକ ଦିଆଗଲା “ମୃତ୍ୟୁ”
ମୃତ୍ୟୁ ନାଁ ଶୁଣି କବି ଡରିଗଲେ
କାଗଜ କଲମ ବି ଥରିବାକୁ ଲାଗିଲେ।
କିଛି କବି କହିଲେ ଆମେ ଲେଖିବୁ
ମୃତ୍ୟୁ ପରର ସେ ନିଶ୍ଚଳ ଶରୀରକୁ
ଆଉ ସେ ଅଫେରା ଗାଡ଼ିକୁ
ଯେଉଁ ଗାଡ଼ି ଥରେ ଗଡ଼ିଗଲେ ଆଉ ନ ଫେରଇ
ଶେଷ ଠିକଣା ତାର ମଶାଣି ଭୁଇଁ।
ଆଉ କିଛି କବି କହିଲେ
ଆମେ ଲେଖିବୁ ସେ ମଶାଣି ଭୁଇଁ
ସେ ଜଳନ୍ତା ଶବର ଜଳନ୍ତା ଜୁଇ
ଆଉ ମଶାଣି ମାଟିର ମହକକୁ
ସେ ମୁଠାଏ ପାଉଁଶକୁ
କବିଙ୍କ କଥା ଶୁଣି
କାଗଜ କଲମ ଥରି ଉଠୁଥିଲେ।
କବି ହଜିଗଲେ ଭାବନାରେ
ଭାବନା ବୁକୁରୁ ଶବ୍ଦ ତୋଳି ଆଣିଲେ
ଛାପିବା ପାଇଁ କାଗଜରେ
କ୍ଷତ ବିକ୍ଷତ ଶବ୍ଦ ଥିଲେ
ଯନ୍ତ୍ରଣା ନିଆଁରେ
ବେଦନାର କୋହରେ ଜଳୁଥିଲେ
ସେ ଶବ୍ଦଙ୍କୁ ଦେଖି କଲମ କାନ୍ଦୁଥିଲା
ଟୋପ ଟୋପେ ଲୁହ ଧାରେ
ଶବ୍ଦ ମାନଙ୍କୁ ଆଙ୍କି ଚାଲିଥିଲା କଲମ।
କାଗଜ ବି ଶବ୍ଦ ମାନଙ୍କୁ ସାଥେ ଧରି
କଲମର ଲୁହରେ ଭିଜୁଥାଏ
କବିଙ୍କ ଭାବନାର ସେ ଯନ୍ତ୍ରଣା
ନିଜେ ଅନୁଭବ କରୁଥାଏ
କବିଙ୍କ ଭାବନା ସରିନାହିଁ
ସରିନାହିଁ ଲେଖା ଆଜିବି ଚାଲିଛି
“ମୃତ୍ୟୁର ଅସରନ୍ତି ବାଖ୍ୟା”
ଆଜି ବି କବି ଭାବି ଚାଲିଛି
କଲମ ମୁନରେ ଲେଖି ଚାଲିଛି
ମୃତ୍ୟୁ, ମଶାଣି,କୋକେଇ,ଜଳନ୍ତା ଜୁଇକୁ।
ଜଗମୋହନ ପ୍ରଧାନ
ବଡ଼ଚଣା, ଯାଜପୁର