ମାଟି ମଟାଳର ମଣିଷ
ମାଟିର ମଣିଷ ମାଟିରେ ଗଢା,
ମଣି କି କାଞ୍ଚନ ନାହିଁ ତ ଲୋଡ଼ା ।
ଏ ମାଟି ମୋ ପାଇଁ ଚନ୍ଦନ ପରି,
ତାହାକୁ ଜୀବନେ ପାଥେୟ କରି ।
ବଞ୍ଚି ରହିବି,
ସରଗ ର ସୁଖ ତାଠୁ ପାଇବି ।। ୧ ।।
ପବିତ୍ର ମାଟିକୁ ଚକଟି ହାତେ,
ଗଢି ଦେବି ହାଣ୍ଡି ମାଠିଆ କେତେ ।
କେତେ ନୂଆ ନୂଆ ମୂର୍ତ୍ତି ଗଢିବି,
ମନଲାଖି ରଙ୍ଗେ ରଙ୍ଗାଇ ଦେବି ।
କୁଟୁମ୍ବ ପାଇଁ,
ସିଏ ବି ଆହାର ଦେବ ଯୋଗାଇ ।। ୨ ।।
ଗଲେ ଯାଉ ମୁଣ୍ଡ ଝାଳ ତୁଣ୍ଡକୁ,
ଚଷିବି ନିତି ମୁଁ ଏହି ମାଟିକୁ ।
ସୁନାର ଫସଲ ଦେବି ଫଳାଇ,
ସବୁରି ଓଠରେ ହସ ଖେଳାଇ ।
ହୋଇବି ଖୁସି,
ଏତିକି ତ ଚାହେଁ ମୋ ପରି ଚାଷୀ ।। ୩ ।।
ରଖିବିନି ଜମା ଜମି ପଡ଼ିଆ,
ଲଗାଇବି ଗଛ ନୂଆକୁ ନୂଆ ।
ସ୍ଵଚ୍ଛ ପରିବେଶ ସୃଷ୍ଟି କରିବି,
ଧରଣୀ ମାଆକୁ ହସାଇ ଦେବି ।
ଚାହିଁବି ଯାହା,
ଏ ମାଟିରେ ମୁହିଁ କରିବି ତାହା ।। ୪ ।।
ବଡ଼ କରିଛି ଯେ ମୋ ଅଳି ସହି,
ତାକୁ ଛାଡ଼ି ମୋର ଅସ୍ତିତ୍ବ କାହିଁ ।
ଲୋଡ଼ା ନାହିଁ ମୋର ରାଜ ଉଆସ,
ମାଟି ଘରେ ମୋର ଶାନ୍ତିରେ ବାସ ।
ମାଟି ମଟାଳ,
ଶେଷ ଆଶ୍ରା ମୋର ତାହାରି କୋଳ ।। ୫ ।।
ରମେଶ କୁମାର ସାହୁ
କେନ୍ଦୁଝର