ମାଟି ମଟାଳର ମଣିଷ
ଏଇ ମାଟିରେ ଆମ ଜନମ,
ଏଇ ମାଟିରେ ଆମ କରମ ।
ଏଇ ମାଟିରେ ଆମ ଜୀବନ,
ଏଇ ମାଟିରେ ଆମ ମରଣ ।
ଦୁଃଖରେ ହେଉ, କି ସୁଖରେ ହେଉ,
ଏଇ ମାଟି ଏକା ଆମରି ଆଶ,
ଆମେ ମାଟି ମଟାଳର ମଣିଷ ।। ୧ ।।
ଖରା ବରଷା ଶୀତ କାକର,
ନମାନି ଝଡ଼ ପାଣି ପଥର ।
ଜନମ ଠାରୁ ମରଣ ଯାଏଁ,
ମାଟିର ବେଉସା ଆମର ଥାଏ,
ମାଟିରେ ଉଠା, ଏ ମାଟିରେ ବସା,
ମାଟିରେ ବାସ ପୁରୁଷ ପୁରୁଷ,
ଆମେ ମାଟି ମଟାଳର ମଣିଷ ।। ୨ ।।
ଟାଙ୍ଗରା ପଡ଼ିଆ ପୁରାଏ ଶସ୍ୟେ,
ଯାହାଲାଗି ଏଇ ମାଟି ମା’ ହସେ ।
ହସାଉଛି ଯେ’ ସାରା ଦୁନିଆ,
ସେଇ ଚଷା ଆମେ ସେଇ ମୂଳିଆ ।
ଦରିଦ୍ର ଦୁଃଖୀ, କି ତୃଷାର୍ତ୍ତ ଭୋକୀ
ଆମ ଲାଗି ସବୁ ମୁହଁରେ ହସ,
ଆମେ ମାଟି ମଟାଳର ମଣିଷ ।। ୩ ।।
ମାଟିରେ ଜୁଝି ଜୀବନ ଯାକ,
ସହି ଅପାର ଯାତନା ଦୁଃଖ ।
ପର ଆପଣା ମଙ୍ଗଳ ପାଇଁ,
ମୁଣ୍ଡର ଝାଳ ତୁଣ୍ଡରେ ମାରି ।
ହସାଉ ଜିଣି, ଏ ସାରା ଧରଣୀ,
ପାଇ ଏଇ ମାଟି ମାଆ ଆଶିଷ,
ଆମେ ମାଟି ମଟାଳର ମଣିଷ ।। ୪ ।।
ଥିବା ଯାଏ ଏଇ ଜୀବନ ଜୀଇଁ,
କରୁ ନକରୁ ଆମରି ପାଇଁ ।
କରୁଛୁ କରିବୁ ଜୀବନ ପଣ,
ଦେଶ ଜାତି ପାଇଁ କରିବୁ କାମ ।
ନମିଳୁ ଧନ କି ନୋହୁଁ ସୁନାମ,
ଯାଉ ଏ ମାଟିରେ ଶେଷ ନିଃଶ୍ୱାସ ।
ଆମେ ମାଟି ମଟାଳର ମଣିଷ ।। ୫ ।।
ଭ୍ରମର ବାଗ
ନୂଆଁପଡ଼ା