ମାଟି ମଟାଳର ମଣିଷ
ମାଟି ମଟାଳର ଛାତି ଚିରି
ଦେଖ ବନ୍ଧୁ ଥରେ ଦେଖ,
କେତେ ଖଣି, ଖାଦାନର ତଳେ
ହାଡ଼ କଙ୍କାଳକୁ ଦେଖ !
ରକତ, ମାଉଁସ ଜୁଡୁବୁଡୁ ମାଟି
ଶୁଖିଛି କେମିତି ଦେଖ !
ଖାଙ୍କାଳ ପେଟ ହାତେ ଭିତରକୁ
ପଶିଛି କେମିତି ଦେଖ !
ମାଟିର ମଣିଷ ମାଟି ଚିରି ପରା
ଫଳାଉଛି କେତେ ଶସ୍ୟ,
ମାଟିରେ ମାଟିରେ ହଜିଯାଇ ସିଏ
ମୁଖରେ ଦେଉଛି ଖାଦ୍ୟ ।
ମାଟି ପରା ମାଆ, ମାଟି ପରା ସାହା
ମାଟି ପରା କରେ ଆହା,
ମାଟିର ମଣିଷ ମାଟି କୋଳେ ଠିଆ,
ମାଟିର ବାସନା ତାହା ।
ଲହୁ ଲୁହ ମିଶି ଏକାକାର ହୋଇ
ମୁଣ୍ଡ ଝାଳ ତୁଣ୍ଡେ ମିଶେ,
ପାରିବକି ମିଶି ମାଟିମୟ ହୋଇ
ମାଟି ମାଆ ଯେବେ ଡାକେ !
ମାଟିର ମଣିଷ ମାଟିର ଛାତିରେ
କରିଛି ସଂଘର୍ଷ ଯେତେ,
କେବେ କିଏ ତାର ହିସାବ ରଖିଛି
ବୁକୁରେ ଦରଦ କେତେ !
ମାଟିର ମଣିଷ ମାଟିର ଛାତିରେ
ଲେଖିଛି ରକତ ଧାରେ,
ଇତିହାସ ତାର ଧରା ବକ୍ଷରେ
ଉଜ୍ଜ୍ଵଳ ସ୍ବର୍ଣ୍ଣ ଅକ୍ଷରେ ।
ଚିନ୍ମୟୀ ମହାପାତ୍ର
ଅନଗୁଳ