ମାଟି ମଟାଳର ମଣିଷ
ମାଟି ନୁହେଁ ସିଏ ମାଆଟି ଆମର
ହୃଦୟର ଚନ୍ଦନ,
ସରଗଠୁ ବଡ଼ ମାଆ ମାତୃଭୂମି
ମୁକ୍ତିର ସନ୍ଧାନ ।। ଘୋଷା ।।
କସ୍ତୁରୀ ମୃଗ କସ୍ତୁରୀ ସନ୍ଧାନେ
ଭ୍ରମେ, ଭ୍ରମେ ବନଘୋର,
ବିଜ୍ଞାନୀ କହି ସୁଖର ଆଶାରେ
ଯାଇଥିଲା ଦେଶାନ୍ତର ।
ଯନ୍ତ୍ରର ଯନ୍ତାରୁ ମୁକୁଳିବା ପାଇଁ
ପ୍ରଚେଷ୍ଟା ତା ଅନୁକ୍ଷଣ ।।୧।।
ଭାରତର ଜ୍ଞାନ ଭାରତ ବିଜ୍ଞାନ
ଜଗତର କଲ୍ୟାଣ ,
ବିଶ୍ଵତାପନ ପୀଡାର କାରଣ
ପାଶ୍ଚାତ୍ୟ ପ୍ରଲୋଭନ ।
କୁପୋଷଣ ସୁପୋଷଣ ମାୟାଜାଲେ
ବାଟବଣା ବିଶ୍ଵଜନ ।।୨।।
ମାଟିର ସନ୍ତାନ ବାହୁଡିବ ଏବେ
ମାଟିର ସରଗେ ତାର,
ଗଢିବ ଜୀବନ କରି ଜୟଗାନ
ତା ପ୍ରିୟ ମାଟି ମାଆର ।
ମାଟି ତାର ଆଦ୍ୟ ମାଟି ହିଁ ଅନ୍ତ
ମାଟି ତା ଅମୂଲ୍ୟ ଧନ ।।୩।।
ମାଟି ମଟାଳର ମଣିଷ ସିଏ ତ
ମାଟିରେ ମିଶିବ ଦିନେ,
ସୁଖ ଦୁଃଖ ନିନ୍ଦା ପ୍ରଶଂସାକୁ ନେଇ
ବଞ୍ଚିବ ତା ଜନ୍ମସ୍ଥାନେ ।
ଜୈବିକ କୃଷି ସ୍ବାବଲମ୍ବୀ ଭାବେ
ଭାରତ ହେବ ମହାନ
ମୁକ୍ତିର ସନ୍ଧାନ ।।୪।।
ସୀମାଞ୍ଚଳ ଖଟୁଆ
ମଞ୍ଚେଶ୍ଵର ଶିଳ୍ପାଞ୍ଚଳ
ଭୁବନେଶ୍ୱର-୧୦