🌼 *ଲୋକ ସାହିତ୍ୟ* 🌼
=================
ଅଳଙ୍କାରମୟ ଶବ୍ଦର ଜୁଆର
ଉଠେ ନାହିଁ ତା’ର କୋଳେ,
ତୁଣ୍ଡରୁ କାନକୁ, କାନରୁ ତୁଣ୍ଡକୁ
ଖେଳେ ସେ ଲୋକଙ୍କ ମେଳେ ll
ଆଭୂଷଣହୀନା ହେଲେବି ସୁନ୍ଦର
ଗାଁ ର ରମଣୀ ପରି,
ମୁକୁଳା ମନର ପରିପ୍ରକାଶ ସେ
ମଧୁର ଲାଗଇ ଭାରି ll
ମାପଚୁପା ସିଏ ପ୍ରାସାଦ ଟେ ନୁହେଁ
ରଙ୍ଗମଖା ଦେହ ତା’ର,
ବାସ୍ତବତା ଭିତ୍ତି ଉପରେ ଠିଆ ସେ
ଗାଉଁଲିଆ ମାଟିଘର ll
ବିହଙ୍ଗ କଣ୍ଠର ସ୍ୱାଧିନ କାକଳି
କଳରୋଳ ଥାଏ ଭରି,
ନିଷ୍କଳୁଷ ତା’ର କଳେବର ପରା
ଗାଉଁଲି ମଣିଷ ପରି ll
ଭୌଗୋଳିକ ସୀମା ସରହଦ ନାହିଁ
ନୁହେଁ ନିୟମରେ ବନ୍ଧା,
ମହକାଇ ଦିଏ ତନ, ମନ, ପ୍ରାଣ
ଯେମିତି ରଜନୀଗନ୍ଧା ll
ଜାତି-ଅଜାତି କି ଧନୀ-ଗରିବ ର
ପ୍ରଭେଦ ତ ନାହିଁ କିଛି,
ସଭିଙ୍କୁ ଆଦରେ କୋଳେଇ ନିଏ ସେ
ନାହିଁ କିଛି ବଛାବଛି ll
ଗ୍ରାମ୍ୟ ଜୀବନ କୁ ବାଦ୍ ଦେଇଦେଲେ
ପୂରା ହୁଏ ନାହିଁ ସିଏ,
ଲୋକ ଜୀବନ ର ଜୀବନ ବେଦ ସେ
ସଭିଙ୍କ ହୃଦୟ ଛୁଏଁ ll
===================
ଦୀପଶିଖା ପ୍ରଧାନ
ଗଉଡ଼ପଦା ପାଟଣା, ବାଙ୍କୀ, କଟକ