ଖୋଜିଲେ ମିଳୁନି ଟିକିଏ ସୁଖ
ସଂସାର ଜଞ୍ଜାଳ ଜୁଆର ପ୍ରବଳ
ଉବୁଟୁବୁ ହୁଏ ତହିଁ
କାତ ପାଉନାହିଁ କୂଳେ ଲାଗୁନାହିଁ
ଜୀବନ ଡଙ୍ଗା ଥରଇ।
ମନ ଆକାଶରେ କଳା ବାଦଲରେ
ବତୀଘର ନଦିଶଇ
ନାଆକୁ ଚଳାଇ କୂଳେ ନେବାପାଇଁ
ସାହସ ମୋ ଅଣ୍ଟୁନାହିଁ।
ସାଜି ନାଉରୀଆ ହେଉଛି ହାଲିଆ
ନାଆକୁ ସଦା ଚଳାଇ
ଅଶାନ୍ତ ସେ ଝଡ଼ ଭାଙ୍ଗିଦିଏ ହାଡ଼
ସଳଖି ଠିଆ ନୁହଇ।
ନାଉରୀଆ ହୋଇ ଯନ୍ତ୍ରଣାକୁ ସହି
ଶାନ୍ତି ଟିକେ ପାଉନାହିଁ
ଖୋଜିଲେ ମିଳୁନି ସୁଖଟିକେ ପୁଣି
ଦୁଃଖରେ ସଢ଼ୁଛି ରହି।
ହେ ଭବ ନାଉରୀ ଶୁଣହେ ଗୁହାରି
ମୋ ନାବ ସମ୍ଭାଳ ତୁହି
ଲୋଡ଼ା ନାହିଁ ମୋର ନାଉରୀ ହେବାର
କାତ ଫିଙ୍ଗିଦେଲି ମୁହିଁ।
ଟେକିଦେଲି ହାତ ନପାଇଲା କାତ
ତାକୁ ରଖି ଲାଭ ନାହିଁ
ଏ ବିପଦ ବେଳେ ନାବ ନେଇ କୂଳେ
ଦେବହେ ଟିକେ ଲଗାଇ।
ହୋଇବି ଆଶ୍ବସ୍ତ ଲଭିବି ତୃପତ
ଦୟା କରଟିକେ ତୁହି
ଜୀବନରେ ସୁଖ ଦେଖିନି ତା ମୁଖ
ଦେଖିବିକି ସତେ ମୁହିଁ।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ