କିଛି ସ୍ମୃତି
ଅନେକ ଦିନ ପରେ ଗାଁ କୁ ଫେରିଛି
ମାଟିର ମହକ ପାଇଁ,
କେତେ ସ୍ନେହ ଶ୍ରଦ୍ଧା ଏ ଗାଁରେ ରହିଛି
ସାଥିରେ ଯିବି ମୁଁ ନେଇ।
କାହିଁ କେତେ କାଳୁ ଏ ଗାଁ ପାଖ ଦେଇ
ବହି ଯାଉଛି ଏ ନଈ,
ତା ପାଖରେ ଅଛି ଛୋଟ ଘର ଟିଏ
କେତେ ସ୍ମୃତି ଅଛି ରହି।
କେତେ ଦିନ ପରେ ଦେଖିଲି ସେ ଘର
ଆଜି କି ଚିହ୍ନି ହଉଛି ?
କେତେ କୋଳହାଳ ଥିଲା ଯେ ଏ ଘରେ
ଆଜି କି ଶୁନ୍ୟ ପଡ଼ିଛି ?
ଅଗଣାରେ ଆଜି ଦୋଳି ଟିଏ ଖାଲି
ଶୁନ୍ୟରେ କାହିଁ ଝୁଲୁଛି ?
ଏ ଘର ଏ ଦୋଳି ପାଖରେ କେତେ ଯେ
ସ୍ମୃତି ମୋ ଲୁଚି ରହିଛି।
ଖରାଦିନ ଛୁଟିରେ ସାଙ୍ଗ ସାଥିରେ
ମଜା ମସ୍ତି ମୁଁ କରିଛି,
ପିଲା ବେଳରେ ଏ ଅଗଣା ଦୋଳିରେ
କେତେ ଖେଳ ମୁଁ ଖେଳିଛି।
ଏ ଅଗଣାରେ ମୋ ପିଲାବେଳ ଆଜି
ସ୍ମୃତି ଟେ ହୋଇ ରହିଛି,
ମୋ ଗାଁର ସାମ୍ନା ଆକାଶଟା ବି ଆଜି
ଖୁବ୍ ଫର୍ଚ୍ଚା ଯେ ଲାଗୁଛି।
ସହରକୁ ଯିବା ପରେ ସ୍ମୃତି ସବୁ
ମୋ ଗାଁରେ ଛାଡି ଯାଇଛି,
ମୋ ଗାଁ ମାଟି ପାଣି ପବନରେ ଆଜି
ସ୍ମୃତି ତକ ମୁଁ ଖୋଜୁଛି।
ଜଗମୋହନ ପ୍ରଧାନ
ଶକୁନ୍ତଳାପୁର, ଯାଜପୁର