ଖବର କାଗଜ
ଖବର କାଗଜ ସବୁ ଖବରକୁ
ତା ମଧ୍ୟରେ ଧରିଥାଏ
ସକାଳ ହୋଇଲେ ଖବର କାଗଜ
ଖବର ବାଲାଟି ଦିଏ।।
ଖବର କାଗଜେ ଦେଶ ବିଦେଶର
ଖବର ଯେ ରହିଥାଏ
ଘଟଣା ଦୁର୍ଘଟଣା ପର୍ବ ପର୍ବାଣୀର
ସୂଚନା ପୁଣି ଜଣାଏ।।
ସାହିତ୍ୟ ଓ ଜ୍ଞାନ ବିଜ୍ଞାନ ସହିତ
ନୂଆ ନୂଆ କଥା କହେ
ମହାପୁରୁଷଙ୍କ ଜନ୍ମ ମୃତ୍ୟୁ ବାର୍ତ୍ତା
ଖବର କାଗଜ ଦିଏ।।
ଦିନ ପଞ୍ଜିକା ଓ ରାଶିଫଳ କଥା
ଗଳ୍ପ କାହାଣୀ ଧରି
ବିଜ୍ଞାପନ କେତେ ଛପା ତା ଦେହରେ
ନାନା ଜାତି ଚିତ୍ର କରି।।
ବନ୍ୟା ବାତ୍ୟାର ସେ ଖବର ଦେଇଣ
ସଚେତନ କରିଥାଏ
ଖବରକୁ ପଢି ଜନ ସାଧାରଣ
ଆଗରୁ ସଜାଗ ହୁଏ।।
ରାଜନୀତି ଅର୍ଥନୀତି ଓ ଅନୀତି
ସବୁ କଥାକୁ ବଖାଣେ
ଖବର କାଗଜ ପଢିଣ ଜନତା
ଖବର ସବୁତ ଜାଣେ।।
ସକାଳୁ ସକାଳୁ ଚା, ପିଆ ସାଥେ
ଖବର ପଢା ହୁଅଇ
ଚନ୍ଦ୍ର ପୃଷ୍ଠ କଥା, ପୌରାଣିକ ଗାଥା
ଖବର ସବୁ ଦିଅଇ।।
ଖବର କାଗଜ ପଢିଥାଏ ଯିଏ
ତାର ଉପକାର ହୁଏ
ଦେଶ ବିଦେଶର ଖବର ଜାଣଇ
ଜ୍ଞାନ ତାର ବଢିଥାଏ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡା