ଜରାଶ୍ରମ
ମାନବ ଜୀବନେ ଭୋଗଇ
ଚାରି ଗୋଟି ଅବସ୍ଥା,
ବାଲ୍ୟ, କୈଶୋର, ଯଉବନ
ବାର୍ଦ୍ଧକ୍ୟ ତୁ ଜାଣିଥା ।
ବାଲ୍ୟ କାଳ ଅଟେ ସୁଖଦ
ମାଆ ବାପା ସ୍ନେହରେ,
ଧୂଳି ମାଟି ଖେଳ କୁଦରେ
କଟେ ଅତି ଆନନ୍ଦରେ ।
ତା’ ପରେ କୈଶୋର ବିତଇ
ବିଦ୍ୟା ଅଧ୍ୟୟନରେ,
ବିଦ୍ୟାଳୟେ ଗୁରୁ ଆଜ୍ଞାକୁ
ପାଳିଥାନ୍ତି ଭକ୍ତିରେ ।
ତାପରେ ଯୌବନ ଆସଇ
ମନ ଆନ ମନା ହୁଏ,
ସାଥିଟିଏ ପାଇ ନିଜକୁ
ପ୍ରେମେ ଭୁଲାଇ ଦିଏ ।
ପୁତ୍ର କନ୍ୟା ଲାଭ କରି ସେ
ପୁଣି ଆନନ୍ଦ ହୁଏ,
ନିଜ କଥା ଭୁଲି ତାହାଙ୍କୁ
ମଣିଷ ସେ କରାଏ ।
ପୁତ୍ର କନ୍ୟା ହୋଇ ମଣିଷ
ବାପା ମାଆ ଭୁଲନ୍ତି ,
ବୃଦ୍ଧ ବୟସରେ ତାହାଙ୍କୁ
ନିଜ ବୋଝ ମଣନ୍ତି ।
ବୃଦ୍ଧ ବୃଦ୍ଧା ପାଇଁ ଖୋଲିଛି
ଏବେ ଜରା ଆଶ୍ରମ,
ଘରୁ ତଡ଼ା ଖାଇ ବାପା ମା’
ସେଠି କାଟନ୍ତି ଦିନ ।
ଜରାଶ୍ରମ ଅଟେ ଆଶ୍ରୟ
ସ୍ଥଳୀ ବୁଢା ବୁଢୀଙ୍କ,
ନିଜ ନିଜ ମଧ୍ୟେ ବାଣ୍ଟନ୍ତି
ସେମାନେ ଦୁଃଖ ସୁଖ ।
ଅଚିହ୍ନା ଅଜଣା ମଣିଷ
ସବୁ ନିଜର ହୋନ୍ତି,
ହାତେ ଗଢିଥିବା ସନ୍ତାନ
ସିନା ପର କରନ୍ତି ।
ଜରାଶ୍ରମ ଅଟେ ତାଙ୍କର
ପରା ଅତି ନିଜର,
ନଥାଏ ଆକଟ ସେଠାରେ
ପୁଅ ବୋହୂଙ୍କ ଡର ।
ସ୍ବେଚ୍ଛାସେବୀ ଓ ସରକାର
ଦାୟିତ୍ବ ନେଇଥାନ୍ତି,
ଖାଦ୍ୟ ବସ୍ତ୍ର ପୁଣି ପାନୀୟ
ସବୁ ଯୋଗାଇ ଦ୍ୟନ୍ତି ।
ବୃଦ୍ଧ ବୃଦ୍ଧା ନିଜ ସକ୍ଷମେ
ନିଜ କାମ କରନ୍ତି,
ବାଡ଼ି ବଗିଚାର ଯତନ
ପିଲା ପରି ନିଅନ୍ତି ।
ନାନା ଫୁଲ ଫଳେ ହସଇ
ସେଇ ଜରା ଆଶ୍ରମ,
ଗପସପ ମଜ୍ଜା ଥଟ୍ଟାରେ
ତାଙ୍କ କଟଇ ଦିନ ।
ପୁତ୍ର କନ୍ୟା ହୁଅ ସଜାଗ
ଅଧର୍ମ କର ନାହିଁ ,
ନିଅ ପିତା ମାତା ଯତନ
ସେଇ ମନକୁ ନେଇ ।
ନିଜ ରକ୍ତରେ ଗଢିଲେ
ତୁମମାନଙ୍କୁ ସିଏ,
ଲହୁ ଲୁହ ପିଇ ତୁମକୁ
ମଣିଷ କଲେ ସିଏ ।
ତାଙ୍କରି ଆଖିରୁ ଲୁହକୁ
ଝରିବାକୁ ନ ଦିଅ,
ସେବା ଯତ୍ନ କର ତାଙ୍କରି
ମୁଖେ ହସ ଫୁଟାଅ।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା