ଲୁହ
ଟୋପା ଟୋପା ଲୁଣି ଲୁହ
ଆଖି ଶାମୁକାର ମୁକ୍ତା ସିଏ;
କାକ-କୃଷ୍ଣ କଜଳ ଆଖିର
ସୂକ୍ଷ୍ମକୋଣ ଦେଇ,
ଝରିଯାଏ ସେ ତ ଅସୁମାରୀ ଦୁଃଖ ସହି…
ନିଃଶବ୍ଦ ଝରଣାଟିଏ
ପୁଣି ସେ ତ ଅକୁହା କଥାର ସମ୍ଭାର
ଝରିଯାଏ ନିଃସଙ୍କୋଚେ
ବକ୍ଷର ମଧ୍ୟଦେଶ ଦେଇ…
ପୁଣି କୋହର ଗନ୍ତାଘର
ବନ୍ଧ ଭାଙ୍ଗି
ବହିଯାଏ ସିଏ ସ୍ନେହମୟୀ
ବସୁନ୍ଧରା ତଳେ…
ଏ ସବୁର ଅବସାନ ପରେ
ଅସହାୟ କୁହୁଡିର ବୁକୁ ଚିରି
ପୁଣି ଫେରି ଆସେ ସେ ତ
ବିଭୁ ପାଦ ରେ ସମର୍ପିତା
ତ୍ରିବେଣୀର ସ୍ଵଚ୍ଛ ଧାରାପରି…
ଭାଗ୍ୟଶ୍ରୀ ଦେ
ସ୍ନାତକୋତ୍ତର ଭାଷା ଓ ସାହିତ୍ୟ ବିଭାଗ,
ଫକୀରମୋହନ ବିଶ୍ବବିଦ୍ୟାଳୟ, ବ୍ୟାସବିହାର,ବାଲେଶ୍ଵର-୮୯
.