ଯେ ଯାଏ ନିଶ୍ବାସ ସେ ଯାଏ ବିଶ୍ୱାସ
ଜୀବନକୁ କିବା ଭରସା କରିବା
କେତେବେଳେ ଚାଲିଯିବ
ସର୍ବେ ଚାହିଁଥିବେ ଜାଣି ନପାରିବେ
କେହି ରୋକି ନପାରିବ
ଆପଣା ଇଚ୍ଛାରେ ଖେଳଇ ଶରୀରେ
ପ୍ରଣବାୟୁ ନାମ ବହି
ଅରୂପଟି ସେହି ରୂପମଧ୍ୟେ ରହି
ଜୀବଙ୍କୁ ଚଳାଉ ଥାଇ।
ତା ବଳରେ ଜୀବ ବୋଲାଏଟି ଶିବ
ନୋହିଲେ ହୋଇବ ଶବ
କେତେବେଳେ ସେହି ଯିବଟି ପଳାଇ
କାରେ କିଛି ନକହିବ।
ଯେ ଯାଏ ନିଶ୍ବାସ ସେ ଯାଏ ବିଶ୍ୱାସ
ଜୀବର ମଧ୍ୟରେ ଥାଏ
ବଳରେ ତାହାର ଆହାର ବିହାର
ଜୀବ ସଞ୍ଚାଳିତ ହୁଏ।
ସରିଲେ ନିଶ୍ବାସ ତୁଟଇ ବିଶ୍ୱାସ
ମୃତ୍ୟୁ ଲଭଇ ଶରୀର
ସ୍ଥାନ କାଳ ପାତ୍ର ନାହିଁ ତା ବିଚାର
ସବୁଠେ ପ୍ରବେଶ ତା’ର।
ଚାଲିବା ବୁଲିବା ଖେଳିବା ଖାଇବା
ଶୋଇବା ସ୍ଥାନେ ହାଜର
ତା ଆଶା ବିଶ୍ୱାସ ହୋଇଯାଏ ଶେଷ
ନିଶ୍ବାସ ନୁହେ ନିଜର।
ନିଜ ଶରୀରରେ ବିହାର ସେ କରେ
ସବୁଠାରୁ ଅବିଶ୍ବାସି
କରିଣ ବିଶ୍ବାସ ହେଉଥାନ୍ତି ନାଶ
ଅଚାନକେ ଦିଏ ଗ୍ରାସି।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ