ଯେବେ ତମେ ଆସ
*************
ଯେବେ ତମେ ଆସ
ଆକାଶ ଛାତିରେ
ବାଦଲ ଓଢଣି ଟାଣି,
ଦୂର ପାହାଡରେ
ନୃତ୍ୟରତା କେକୀ
ତୁମ ଆଗମନ ଜାଣି ।
ନିଗାଡିଲେ ତମେ
ଆଖିରୁ ତମର
ଟୋପା ଟୋପା ବର୍ଷା ପାଣି,
ଅତୀତ ବୋଇତେ
ଭାସି ଯାଏ ମନ
ପିଲା ଦିନ ଆଡେ ପୁଣି।
କାଗଜର ଡଙ୍ଗା
ଓଳଛିଆ ପାଣି
ବେଙ୍ଗ ବେଙ୍ଗୁଲୀଙ୍କ ଗୀତ,
ବୟସ ସ୍ରୋତରେ
ଭାସିଭାସି ଯାଏ
ମୋ ପାଇଁ ଯାହା ଅତୀତ ।
ତମେ ଯେବେ ଆସ
ଖୁସି ହୁଏ ମାଟି
ଟିକିଏ ଛୁଇଁବା ପାଇଁ,
ସ୍ଵାର୍ଥପର ଏତେ
କେମିତି ରହୁଛ
ତା ଠାରୁ ଦୁରେଇ ହୋଇ ।
ପ୍ରେମିକ ପ୍ରେମିକା
ପାଇଁ ତୁମେ ପରା
ପ୍ରିତୀର ସ୍ଵାକ୍ଷର ଟିଏ,
ଚାଷି ଭାଇ ପାଇଁ
ବଞ୍ଚିବା ବାହାନା
ହସର ଫରୁଆ ଟିଏ ।
ନିଦାଘ ଶେଷରେ
ତୁମେ ଯେବେ ଆସ
ହରଷିତ ହୁଏ ମହି,
ଖିଲି ଖିଲି ହସେ
ଆକାଶେ ବିଜୁଳି
ପୃଥିବୀ ତୃପ୍ତ ହୁଅଇ ।
ସମୟ ତାରିଖ
ଦିନ ରାତି ସରୁ
ତମେ କିନ୍ତୁ ଆସୁ ଥାଅ,
ପ୍ରେୟସୀ ତମର
କରିଛି ଅପେକ୍ଷା
ତାକୁ ଥରେ ଛୁଇଁ ଦିଅ ।
ମମତା ବାରିକ୍
ଭଦ୍ରକ