ଚତୁର୍ମାସ୍ଯାର ଅତିଥି
ଏମାନେ ଚତୁର୍ମାସ୍ଯାର ଅତିଥି!
ମୋ ପ୍ରିୟା ଘର ଗାଁରୁ ମୋ ଗାଁକୁ
ନେଇଆସେ ପ୍ରେମାଳିଆ ମିଠା କଥା
କହିଦିଏ କେତେ କ’ଣ
ଯାବତୀୟ ମିଛ ସବୁ ଯୋଖିଦିଏ
ଏଇ ଯେମିତି
ମୋ ପ୍ରିୟା ଠାରୁ କେ ଅଛି ସୁନ୍ଦର
ସେ ଜାଣେନାହିଁ,
ଅନାଦି ଯୁଗରୁ ସେ ସମସ୍ତଙ୍କ ପ୍ରେମିକା
କହିବାକୁ ଚେଷ୍ଟା କରେ
କରୁ କରୁ
ଉଡାଇନିଏ ଝଡ
ହଲୁଥାନ୍ତି ସବୁଜ ଗଛ ସବୁ
ଗର୍ଭବତୀ ପରି
ନଡିଆ ବାଉଙ୍ଗା କଚଡା ଖାଏ ମାଟି ଉପରେ
ଗୋପାଳିଆ ଓହୋ ଓହୋ ଡାକଦିଏ
କଥା ମୋର ଅଧା ରହେ
ସଞ୍ଜ ନଇଁବା ଆଗରୁ।।
ମୁଁ ମରିଯାଏ କାଲିର ସକାଳ ଅପେକ୍ଷାରେ
ଏମାନଙ୍କୁ ଆହୁରି କହିବାର ଥିଲା
ମରୁ ମରୁ ଜନମାଏ କବିତା
କିଏ କେଜାଣି
ହଁ, କବିତା ମୋ ଗର୍ଭରେ
ମୁଁ ଗର୍ଭ ଧରେ
ପୁଣି ଜନ୍ମଦିଏ
ଧଳା ଚାଦର ଉପରେ
ନୀଳ କୁନି କୁନି ଜୀବନ୍ତ ଶବ୍ଦ ସବୁକୁ;
ମନ ରହିଯାଏ ଦେହ ଫେରିଆସେ
ପୁଣି କାଲିର ସକାଳ
କ୍ଷେତରେ ତମାମ କଥା
ଅଲ୍ଲାଜୁକ ପ୍ରେମିକ ପରି
ସେମାନେ ହସୁଥା’ନ୍ତି
କିଏ?
ହଁ ସେ ଗୋପାଳିଆ, ଡେଙ୍ଗା ନଡିଆ ଗଛ
ପ୍ରାନ୍ତର ବିସ୍ତାରି ସବୁଜ ପଡିଆ ବକ୍ଷର
ଦୁଷ୍ଟ ସବୁ
ଆଉ ମୋ କଥା ଶୁଣୁ ଶୁଣୁ
ଆକାଶ ମାଟିକୁ ଚୁମିଦିଏ।।
ରୁଦ୍ର ନାରାୟଣ ଦାଶ, ଖୋର୍ଦ୍ଧା