ହିସାବ ନିକାଶ
ଦୁର୍ଲଭ ଜନମ ହେବ ଅକାରଣ
ସମୟ ଦେଉଛୁ ସାରି
କେତେ ଅରଜିଲୁ କେତେ ହରାଇଲୁ
କହ ତୁ ସମୀକ୍ଷା କରି।
କେତେ ତୋ ସୁ କର୍ମ କେତେ ତୋ କୁ କର୍ମ
କହରେ ତାହା ବିଚାରି
ଆଜିତ ବରଷ ହେଉଅଛି ଶେଷ
ହିସାବ ଦେଏ ତୋ ସାରି।
ଲାଭ କ୍ଷତି କେତେ କରିଲୁ ଜଗତେ
ବର୍ଣ୍ଣିଦେ ତାହା ବିସ୍ତାରି
ଗଣ୍ଠିଲି ତୋହର ଭରା କେଉଁଥିର
ପାପ ପୂଣ୍ୟକୁ ବିଚାରି।
ହିସାବ ନିକାଶ କରରେ ଅବଶ୍ୟ
ବେଳ ତୋ ଯାଉଛି ସରି
ଭବିଷ୍ୟତ ଲାଗି ରହିବୁ ସଜାଗି
ମୂଳ ନବୁଡ଼ା ତୋହରି।
ଗଣ୍ଠିଲି ପାପର ଅଟେ ଗୁରୁ ଭାର
ଚାପିଦେବ ତୋତେ ସେହି
ପୂଣ୍ୟର ଗଣ୍ଠିଲି ସେତ ଫୁଲଭଳି
ମହକୁ ଥିବରେ ରହି।
ଏକଥା ସୁମରି ଜୀବନେ ତୋହରି
ବଣିଜାକୁ କର ରହି
ବରଜିଣ ମାୟା ସତ ଶାନ୍ତି ଦୟା
କାରବାର କର ତୁହି।
ମୂଳ ନ ବୁଡ଼ିବ ଲାଭ ବଢ଼ିଯିବ
ଅମାପ ହୋଇବ ସେହି
ତୋ ସାତ ପୁରୁଷ ହୋଇବେ ହରଷ
ଧନ୍ୟ ହୋଇଯିବୁ ତୁହି।
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ