ଜୀବନ ବିଦ୍ୟାଳୟ ଏବଂ ଶିକ୍ଷକତା-
ଜାହ୍ନବୀ ଚୌଧୁରୀ
ଶିକ୍ଷକତା କରିବା ସହଜ କଥା ନୁହେଁ ।କେତେବେଳେ କେଉଁ ଭୂମିକା ନେବାକୁ ପଡିବ ସେ ନିଜ ଭିତରୁ ସ୍ଥିର କରିଥାଏ।ନିଜେ ଏହି ଶିକ୍ଷକ ଜୀବନର ନିର୍ମାତା,ନିର୍ଦ୍ଦେଶକ ଓ କଳାକାର ।ଏଥିପାଇଁ କୌଣସି ଟ୍ରେନିଂ କିଛି ବି କାମ ଦିଏନି କି କୌଣସି ସାଟିଫିକେଟ ସାହାର୍ଯ୍ୟ କରେନି ।ଏହିସବୁଗୁଡିକ କେବଳ ପାଠ ପଢେଇବାର ବାଟ ଟିକକ ଦେଖାଇଥାଏ ।
କିନ୍ତୁ କାହିଁକି ?
ଜଣେ ଭଲ ଡିଗ୍ରି ବା ଜ୍ଞାନର ଅଧିକାରୀ ଥିବା ବ୍ୟକ୍ତି ଯେ ଭଲ ଶିକ୍ଷକ ହୋଇଯିବ ଭାବିବାଟା ଭୂଲ୍ ।ପ୍ରତିଦିନ ଶ୍ରେଣୀ କକ୍ଷରେ ପିଲାମାନଙ୍କୁ ଭେଟିଲାବେଳେ ସେମାନଙ୍କ ମନସ୍ତତ୍ୱ ସହିତ ନିଜ ମନସ୍ତତ୍ୱକୁ ମିଶାଇବାକୁ ପଡେ ,ଗୋଟିଏ ସଂଯୋଗ ରକ୍ଷା କରିବାକୁ ହୁଏ ଓ ସଂଗତି ସ୍ଥାପନ କରିବାକୁ ହୁଏ ପରସ୍ପର ସହିତ ନଚେତ୍ ଶ୍ରେଣୀ କକ୍ଷରେ ଶିକ୍ଷକ ହେବାର ଯୋଗ୍ୟତା ଟିକକ ହରେଇବାକୁ ପଡିଥାଏ ନ ହେଲେ ଆତ୍ମସନ୍ତୋଷ ଆସେନି।ଆଜି ଦିନଟି ମୋ ଶିକ୍ଷକ ଜୀବନରୁ ଗୋଟିଏ ଦିନ ବାଦ୍ ପଡିଲା ବୋଲି ଭାବିନେବାକୁ ପଡିବ ।କେତେ ମୁଁ ଶିଖିଲି ଓ କେତେ ଶିଖାଇଲି ।ଏହା ହିଁ ହେଉଛି ବାସ୍ତବ କଥା ।କେବଳ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦିଆ ହୁଏନି ବରଂ ଶିକ୍ଷକମାନଙ୍କୁ ବି ଶିଖିବାକୁ ହୋଇଥାଏ ଅନେକ ବିଷୟ ।
କେତେବେଳେ ପିତାମାତା ତ କେତେବେଳେ ବନ୍ଧୁ ପୁଣି କେତେବେଳେ ମନୋବିଜ୍ଞାନୀ ହେବାକୁ ହୁଏ ।ଶେଷରେ ଯାଇଁ ଆସିବ ଶିକ୍ଷାଦାନ କଥା।
ଶିକ୍ଷକ ତ ସମାଜକୁ ଗଢିବାର ଦାଇତ୍ୱ ଟିକକ ପରୋକ୍ଷରେ ନେଇଥାଏ ।ପ୍ରଶ୍ନ ଉଠୁଛି କେମିତି ?କେମିତି ସେ ନେବ ଏତେବଡ଼ ଦାଇତ୍ୱ ? କିଏ ଦେବ ଏହି ଦାଇତ୍ୱ ? ସମାଜ କେମିତି ନିର୍ଭର କରିବ ଜଣେ ଶିକ୍ଷକ ଉପରେ ? ଏହା ସଂପୂର୍ଣ୍ଣ ଗବେଷଣାତ୍ମକ ।
ସବୁ କିଛି ଦାଇତ୍ୱ ଆପେ ଆପେ ତାକୁ ଅଭିନୟ କରି ତୁଲାଇବାକୁ ପଡିଥାଏ ।କେଉଁ ଉଚ୍ଚ ଡିଗ୍ରି ବା ଅଧିକ ଜ୍ଞାନ ସାହାର୍ଯ୍ୟ କରି ନଥାଏ ଏଠି ବରଂ ଅହରହ ଚବିଶ ଘଣ୍ଟା ନିଜ ଭିତରେ ନିଜକୁ ଗବେଷଣା କରିବାକୁ ହୋଇଥାଏ,ନିଜକୁ ପରୀକ୍ଷା ଦେବାକୁ ପଡିଥାଏ ପ୍ରତିଟି ମିନିଟ୍ ରେ…ଏହା ସହିତ ମା’ ସରସ୍ୱତୀଙ୍କ କୃପା ପ୍ରାପ୍ତ ହେବାକୁ ହୋଇଥାଏ ।
କେମିତି ? କେମିତି ଏତିକି କଥା ହାସଲ କରିବାକୁ ହେବ ? କେବଳ ଶିକ୍ଷାଦାନ ନୁହେଁ,ଶ୍ରେଣୀକକ୍ଷ ନୁହେଁ ବରଂ ବେଳେ ବେଳେ ସେମାନଙ୍କ ଘର ପର୍ଯ୍ୟନ୍ତ ଯିବାକୁ ପଡିଥାଏ।
ପିଲାଟିର ସବୁ ପ୍ରକାର-ମାନସିକ,ଶାରୀରିକ, ବୌଦ୍ଧିକ ଗୁଣାବଳୀ ଠାରୁ ଆରମ୍ଭ କରି ଚରିତ୍ର ଗଠନ ଦିଗରେ ଉଭୟ ବିଦ୍ଯାଳୟ ପରିବେଶ ଓ ପିଲାଟିର ଘର ପରିବେଶ ସହିତ ସାମିଲ ହେବାକୁ ପଡିଥାଏ ।ନଚେତ୍ ଶ୍ରେଣୀକକ୍ଷ ଆମ ପାଇଁ ଏକ ସୀମିତ ଜ୍ଞାନ ପ୍ରଦାନ କରେ ଜଣେ ଶିକ୍ଷକ ପାଇଁ ଓ ଛାତ୍ରଟି ର ଶିକ୍ଷା ନିମିତ୍ତ ।
ଏବେ ଆମେ କେତେ ପର୍’ସେଣ୍ଟ୍ ନମ୍ବର ରଖିବା ଓ ଟପର ହେବା ପଛରେ ସମସ୍ତେ ଗୋଡାଇଛୁଏହି ଚିନ୍ତାରେ ଅଭିଭାବକ, ଶିକ୍ଷକ ଓ ଛାତ୍ର ଏକ ତ୍ରୀଭୂଜ କୋଣୀ ହୋଇ ଛିଡାହୋଇଛୁ ।
କେହି କାହାକୁ ଛୁଇଁ ପାରିବା ଅବସ୍ଥାରେ ନାହୁଁ ।
ପାଠକୁ ଛାଡିଦେଲେ ଖେଳ କସରତ,ଚିତ୍ରାଙ୍କନ,ସଙ୍ଗୀତ,ନୃତ୍ୟ ଓ ସୃଜନଶୀଳତା ସୃଷ୍ଟି କରିବାରେ ବି ଶିକ୍ଷକର ଭୂମିକା କମ୍ ନୁହେଁ ।
ସବୁ ଛାତ୍ରଛାତ୍ରୀଙ୍କ ସହିତ ସମଭାବାପନ୍ନ ହୋଇ ସେମାନଙ୍କ ସହ ମିଶିବା ବେଳେ ବେଳେ ବଡ଼ ପରୀକ୍ଷା ବି ଦେବାକୁ ହୋଇଥାଏ ।
ଏତେସବୁ ପରେ ଆହୁରି ଅନେକ କଥା ଯଥା ବଗିଚା କାମ ଠୁ ପରିବେଶ ପରିଷ୍କାର ଓ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଦିଗରେ ସହାୟକ ହେବାକୁ ହୋଇଥାଏ ।
ସେଥିପାଇଁ କୁହାଯାଇଥାଏ–” ଶିକ୍ଷକ ଜୀବନ ହେଉଛି ଗୋଟିଏ ଯୋଗୀର ଜୀବନ ” ।
ଏହି ଯୋଗୀ ଜୀବନରେ ବିଦ୍ୟାଳୟ ଓ ଶିକ୍ଷାଦାନ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା ବଡ଼ ସାଧନାର କଥା ।
—–*—–
ଜାହ୍ନବୀ ଚୌଧୁରୀ
ଉପସଭାପତି
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ