ଗଙ୍ଗା ଯେ ଦେଶେ ବହେ
ଭରତ ବନ୍ଧୁ ବିଶ୍ୱାଳ
ବେଦଶାସ୍ତ୍ର ଯହିଁ ଓଁକାରେ ପ୍ରଣବ
ଗଙ୍ଗା ଯେ ଦେଶେ ବହେ
ଶିରେ ହିମାଳୟ ହୀରକ ମୁକୁଟ
ସାଗର ପାଦ ପଖାଳେ
ସବୁଜ ସୁନ୍ଦର ମୋ ଦେଶ ଭାରତ
ବିଶ୍ଵ ଜୟଗୀତି ଗାଏ ।
ଜ୍ଞାନ ବିଜ୍ଞାନର ଝଲକେ ଆଲୋକ
ଉଜ୍ଜ୍ବଳେ ଭବିଷ୍ୟ ନୂଆ
ଶିକ୍ଷା ପ୍ରଶିକ୍ଷାର ନବଦିଗନ୍ତରେ
ସ୍ୱପ୍ନ ଗଢେ ନବ ଯୁବା
ଜୀବନ ଠୁ ପ୍ରିୟ ଜନମ ଭୂମି ମୋ
ସରଗ ଠୁ ବଡ଼ ସିଏ ।
ବିଶ୍ୱ ଜୟଗୀତି ଗାଏ —–
ଶାନ୍ତି ଅହିଂସା ମୈତ୍ରୀ ସଦ୍ଭାବନା
ସୁସଂସ୍କାର ସମନ୍ୱୟ
ଉଦବର୍ତ୍ତେ ମଣିଷ ଦେବତ୍ୱ ସୁଗୁଣ
ସୃଜେ ବିଶ୍ୱ ମଧୁମୟ
ଅନନ୍ୟ ସେ ଭୂମି ଅତୂଲ୍ୟା ଜନନୀ
ଅମୃତ ନିସର୍ଗେ ସିଏ ।
ବିଶ୍ଵ ଜୟଗୀତି ଗାଏ —-
ତା ନଦୀ ନିର୍ଝର ବନ ପାହାଡ଼ରେ
ନୀଳ ଅନୁପମ ଆଶା
ଅଙ୍କୁରେ ଜୀବନ ଲକ୍ଷ୍ୟ ସୁମଙ୍ଗଳ
ଶସ୍ୟ ଫୁଲ ଫଳ ଭରା
ତା ଉନ୍ନତି କଳ୍ପେ ନେବି ସୁସଙ୍କଳ୍ପ
ହେବି ସୁସନ୍ତାନ ଟିଏ ।
ବିଶ୍ୱ ଜୟଗୀତି ଗାଏ —-
ପ୍ରତିପାଦେ ଶକ୍ତି ପରାକ୍ରମ ନିଷ୍ଠା
ପ୍ରକଳ୍ପ କରେ ସାଧନ
ହୁଏ କୃତକାର୍ଯ୍ୟ ଉତ୍ତମ ସୁଫଳେ
ଅରଜେ ଯଶ ସୁନାମ
ଗୁଣ୍ଡୁଚିଟି ପରି ତାର ସେବା ଅର୍ଥେ
ମନପ୍ରାଣ ଢାଳୁଥାଏ ।
ବିଶ୍ୱ ଜୟଗୀତି ଗାଏ
ଉପର ବରୁଆଁ , କବୀର ପୁର
ଯାଜପୁର