*ବିଚାର ବିଗିଡ଼ି ଗଲା*
ଧାରା ଶିରାବଣ ମାସ ଶେଷ ରବିବାର,
ନିଧିବୁଢା ବାଡିପଟେ ପଡିଛି ବିଚାର।
ମଶା ମାଛି ମୂଷାଯାକ ଏକଠାବେ ବସି,
ଯୋଜନା କରନ୍ତି ତାର ପ୍ରାଣ ନେବେ ନାଶି ।
କହନ୍ତି ସେ ଦୁଧଭାତ କୁକୁରକୁ ଦିଏ ,
ଆମର ପ୍ରତାପ କେତେ ଜାଣି ନାହିଁ ସିଏ।
ନିଜକୁ ଫୁଲେଇ ମୂଷା ଦୁଇ ଗୋଡ ଛାଟି,
କହେ ଆଗ ନିଧିଆର ଚୁଟି ନେବି କାଟି।
ମାଟିରେ ଯତନ ବୁଢା କରିଅଛି ଘର,
ଗାତ ଖୋଳି କରିଦେବି ସବୁ ନାରଖାର।
କୋଳଥ ମାଣ୍ଡିଆ ଧାନ ସବୁ ନେବି ଲୁଟି,
ଲୁଗାଜାମା ନଥିପତ୍ର ଦେବି କାଟିକୁଟି।
ପୋଷି ନାହିଁ ବିଲେଇ ସେ କାହାକୁ ବା ଡର,
କୃପଣ ପଣିଆ ଏବେ ଛଡାଇବି ତାର।
ମୂଷାକଥା ଶୁଣି ମଶା ଟେକିଲା ତା ମୁଣ୍ଡ,
ଆସନରୁ ଉଠି କହେ ଦେଖମୋର ଶୁଣ୍ଢ।
ଏଥିରେ ଆଣିବି ବାତ ମେଲେରିଆ ଜର,
ଛାଡିବି ତା ରକତରେ ହବ ହରବର।
ଧୂଆଁ ଦିଏ ନାହିଁ ଘରେ ନ ଟାଙ୍ଗେ ମଶାରି,
କାମୁଡି କାମୁଡି ତାକୁ ପକାଇବି ମାରି।
ପଚାଶଢା ଖତଖମା କେତେ ଅଛି ତାର,
ବଂଶ ବଢାଇବା ତହିଁ ଆସରେ ଏଥର ।
ରୋଷେ ଭଣଭଣ ହୋଇ ମାଛି କହେ ଶୁଣ,
ମହାମାରୀ ହଇଜାର ଅଟେ ମୁଁ ବାହନ ।
ଶହଶହ ରୋଗୀଙ୍କର ମଳମୂତ୍ରେ ବସି,
ଜୀବାଣୁ ଆଣିବି ବହି ଘରେଘରେ ପଶି।
ଛକିଛକି ଛାଡିଦେବି ବୁଢାର ଆହାରେ,
ଦେଖିବି ଜୀବନ ତାର କିଏ ରଖିପାରେ।
ନ ଖାଏ ଗରମ ସେତ ନ ଘଉଡେ ମତେ,
ତା ଜୀବନ ନିଶ୍ଚେ ଜାଣ ଗଲା ମୋର ହାତେ।
ଆଢୁଆଳେ ନିଧିସବୁ ଶୁଣୁଥିଲା ବସି,
ରୋଷେ ଲୁହା କାତିଟାକୁ ଧରିଲା ସେ କସି।
ଘର ଚାରିପାଖେ ଥିଲା ଯେତେ ଲଟାବୁଦା,
କାଟିକୁଟି ଏକାଦିନେ କରିଦେଲା ପଦା।
ସଫାକଲା ଖତଗଦା ଖାତଦେଲା ପୋତି,
ଖଟରେ ମଶାରି ଟାଣି ଶୋଇଲା ସେ ନିତି ।
ମାଛି ଘଉଡାଇ ଖାଦ୍ଯ ଖାଇଲା ଗରମ,
ପୋଷିଲା ବିଲେଇ ଏକ ମୂଷାଙ୍କର ଯମ।
ମଶା ,ମୂଷା, ମାଛି ଘେନି ସାଙ୍ଗସାଥି ଭାଇ,
ଆଶ୍ରୟ ନ ପାଇ ଗଲେ ବଣକୁ ପଳାଇ।
ଏ କବିତାର କବି *୰ ଦିଗମ୍ବର ରଥ*
ଗ୍ରାମ -ଡମଣଭୂମି,ବ୍ଲକ୍ -ଟାଙ୍ଗୀ ,ଜିଲ୍ଲା -ଖୋର୍ଦ୍ଧା।