ଦୁର୍ଭାଗ୍ୟ
କେଉଁ ଘଡ଼ିସନ୍ଧି ମୁହୂର୍ତ୍ତେ କେଜାଣି
ହୋଇଥିଲା ମୋର ଜନ୍ମ,
କାହିଁ କରେ ଏତେ ପଶ୍ଚାତାପ ମୁହିଁ
କରୁନାହିଁ ତ କୁକର୍ମ ।
କେତେ ପାପ କେବେ କରିଛି କେଜାଣି
ସରେ ନାହିଁ ମୋର ଦୁଃଖ,
ପ୍ରାୟଶ୍ଚିତ ଆଜି ଯେତେ ବି କରିଲେ
ପାଉ ନାହିଁ ଟିକେ ସୁଖ ।
କେଉଁ ପୁଷ୍ପଅର୍ଘ୍ୟେ ପୂଜିଲେ ତୁମକୁ
ପ୍ରଭୁ ହେ ହେବ ସନ୍ତୁଷ୍ଟ,
ଶୋକାବହ ଏଇ ହୃଦୟରୁ ମୋର
ଦୂର କରିଦେବ କଷ୍ଟ ।
କେତେଦିନ ଆଉ ଧର୍ମକୁ ଆଦରି
ବନ୍ଦୁଥିବି ହେ ତୁମକୁ,
ସମୟଟା ଏବେ ରିପୁ ଯେ ସାଜିଛି
ଚୋଟ ମାରେ ମୋ ବକ୍ଷକୁ ।
କିଏ ଅଛି ଆଉ ଦେଖିବ ଆଘାତ
ଦେବ ଟିକିଏ ସାନ୍ତ୍ୱନା,
ପ୍ରଭୁ ନାମ ଜପି ଦିବସଟା ଯାଏ
ନାହିଁ ମୋ କିଛି କାମନା ।
କେଜାଣେ ଧରିତ୍ରୀ ସାଥିରେ କେଉଁଠି
ମିଶିଛି ଗଗନ ଦେହ,
ସେ ମିଳନସ୍ଥଳେ ଯାଆନ୍ତିକି ଥରେ
ଶେଷ ହୁଅନ୍ତା ମୋ କୋହ ।
କିପରି ବଞ୍ଚିବି ଏମିତି ଜୀବନ
ଯନ୍ତ୍ରଣା ପ୍ରତି ମୁହୂର୍ତ୍ତେ,
ସହୁଛି ନିଇତି କଟୁବାକ୍ୟ ଆଉ
ପାଏ ବଦନାମ ଯେତେ ।
କେମିତି ହୋଇବି ଆନନ୍ଦେ ବିଭୋର
ମୋର ନାହିଁ କିଛି ପାର୍ବଣ,
ଦୁର୍ଭାଗ୍ୟଟା ମୋର ଅତିଥି ନୁହେଁ ଯେ
ସେବିବି ତା’ର ଚରଣ ।
କାହିଁ ଏ ସମୟ ଅଳୀକ ନୁହଁଇ
ସବୁ ସକାଳୁ ଆରମ୍ଭ,
ପ୍ରତିବନ୍ଧକର ଅସହ୍ୟ ବୋଝରେ
ଜୀଇଁବାଟା କି ସମ୍ଭବ !
କେଉଁ ତ୍ରୁଟି ପାଇଁ ଅନୁତାପ ସାଧ୍ୟ
ତାହା ଅଜ୍ଞାତ ମୋତେ ରେ,
ହତଭାଗ୍ୟ ସାଥେ ପାଦ ମିଳାଇ ମୁଁ
ଜଳେ ସନ୍ତାପ ଜୁଇରେ ।
କାହିଁକି ମୁଁ ନିଜେ ଖୋଜି ପାଉନାହିଁ
ନିହିତ ଦୁର୍ଗୁଣ ମୋର,
ଜୀବନର ଦୀପ ଲିଭିଆସେ ସିନା
ଦୁର୍ଭାଗ୍ୟ ସରେନା ମୋର ।
ପୂଜାରାଣୀ ନାୟକ
ବଖାଣପୁର, ଜାହାନପୁର, ଯାଜପୁର