ଭକତ ପଥିକ
ପାଦ ଚିପି ଚିପି ଏ ପ୍ରଖର ବୈଶାଖେ
ଆସିଛି ମୁଁ ଏକା ଏକା,
ଚାଲିବାକୁ ଆଉ ପାଉନି ସାହସ
ଜୀବନ ଲାଗିଲାଣି ଫିକା ।
ତୁଣ୍ଡେ ନେଇ ତୁମ ନାମ
ଆସିଛି ହେ ସଖା,
ବିଳମ୍ବ ଆଉ କରନି ହେ ନାଥ
ଆସି ଥରେ ଦିଅ ଦେଖା ।
ଦର୍ଶନ କରିବି ଥରେ ମୋ ସୁନୟନେ
ସାର୍ଥକ ହୋଇବ ମୋ ଜୀବନ,
ହସ ହସ ବଦନେ ଚାହିଁଲେ ମୁଁ ଥରେ
ପୂରା ହେବ ମୋ ସପନ ।
ଜୀବନ ସଳିତା ସରି ସରି ଆସୁଛି
ଦପ୍ ଦପ୍ ହେଇ ଜଳେ ଜୀବନ ଦୀପ,
କଳା ବଦନକୁ ଚାହିଁ କରିବି ପ୍ରାୟଶ୍ଚିତ
କରିଥିଲି ଯାହା ଏ ଜନମେ ପାପ ।
ସମର୍ପଣ କଲି ତୁମରି ଆଗରେ
କର ତୁମେ ହିସାବ ପାପ ପୁଣ୍ୟର,
ଭୋଗିବାକୁ ପ୍ରସ୍ତୁତ ଅଛି ମୁଁ
ଯାହା ଯେତେ ଦେବ ହେ କଳା ଠାକୁର ।
ଅଣ-ନିଃଶ୍ଵାସୀ ହେଲିଣି ମୁଁ
ଚାଲି ଚାଲି ବହୁ ଦୂରୁ,
ଏ ଜୀବନେ ଆଉ କିଛି ମୁଁ ଚାହୁଁନି
ତୁମ ପାଖେ ହିଁ ସରୁ ।
ଦେବାଶିଷ ଗୌଡ
ଚନ୍ଦାହାଣ୍ଡି, ନବରଙ୍ଗପୁର