ଚିତ୍ରପଟ
ତୁମକୁ ଦେଖିଲେ
ଲାଗୁଥିଲା ଏ ପୃଥିବୀ ସୁନ୍ଦର
ହୃଦୟ ପ୍ରତିଟି କୋଣରେ ଶୁଭୁଥିଲା
ଅନାବନା ସୁରର ଲହର
ଆମ ଗାଁ ନଈର ଛୋଟଛୋଟ
ଲହରୀ ସବୁ ଗାଉଥିଲେ
ପ୍ରୀତିରଗଜଲ
କାଶତଣ୍ଡୀ ଫୁଲ ପବନର
ସୁରେ ସୁରେ ନାଚୁଥିଲା
ହୋଇଣ ବିଭୋର।
ହେଲେ ଫୁଲ ଫୁଟିବାର ଋତୁ ସବୁ
ଅଜାଣତରେ ଦୂରେଇ ଗଲେ
ମୋଠାରୁ ତୁମଠାରୁ
ବୋକା ବନାଇ
ତୁମ ମୋ ସଂପର୍କରେ
କମା ପୂର୍ଣ୍ଣଛେଦ ସବୁ ପଡିଗଲା
ମହୁଫେଣାରୁ ମହୁମାଛି ଉଡିଗଲେ
ମୋ ମନର ଫୁଲବନ ହୋଇଗଲା ଖାଁ ଖାଁ
ରୌଦ୍ରର ପ୍ରଚଣ୍ଡ ଝାଞ୍ଜି
ଏକା ଏକା ବାଟଘାଟ
କିଛି ବି ବିଶ୍ବାସ ନାହିଁ
କିଛି ବି ତରଙ୍ଗ ନାହିଁ
ଏବେ ଖାଲି ତୁମରି ସିମ୍ଫୋନିର
ଲୁହର ଫସଲ
ସ୍ମୃତିରେ ସ୍ମୃତିରେ ମୁଣ୍ଡ ପିଟେ
ପ୍ରତିଟି ସ୍ଥାନରେ
ଅତି ନୀରବରେ।
ମୁଁ ଏବେ ଜୀଅନ୍ତା ଶବ ପାଲଟିଛି
ଖାଲି ଟାକି ବସିଛି
କେବେ ମୁଁ ହଜିବି ତୁମ ଚିତ୍ରକଳ୍ପରେ
ନିହାତି ଆବେଗ ଉଦବେଗ
ଅତିନ୍ଦ୍ରିୟ ଚେତନା ଭିତରେ।
ଡ଼. ପ୍ରିୟମ୍ବଦା ସାମଲ
ପଟିଆ, ଭୁବନେଶ୍ୱର।