ଜାଗ୍ରତ ହୁଅ ଓଡ଼ିଆ
”’”””’*******”””'””””
ଶୁଭୁନି ପ୍ରଭାତେ କାକଳୀର ସ୍ୱର
ପୁଷ୍ପିତ ହେଉନି ମାଳତୀ ଟଗର
ଟାଙ୍ଗରା ଦିଶୁଛି ଭୂଇଁ
ନଣ୍ଡା ବରଗଛ କାହାଣୀ ଶୁଣୁଛି
ମଲା ନଈ କୋଳେ ଶୋଇ ।।
ସଂସ୍କୃତି ସଂସ୍କାର ଶବ୍ଦ ପୁସ୍ତକର
ମୂଲ୍ୟହୀନ ରତ୍ନ ପାଶ୍ଚାତ୍ୟ ଚକ୍ଷୁର
ଶିକ୍ଷାର ସଂସ୍କାର କାହିଁ
ବୁଢା ବାପ ମରେ ବିନା ଗଙ୍ଗା ଜଳେ
ବିଦେଶୀ ପୁଅକୁ ଚାହିଁ ।।
ମୂଖ୍ୟ ସ୍ରୋତରେ ରାଜନୀତି ଭିଡ଼
ବିକାଶ କି ହେବ ଭାଷଣ ବାଜିର
ସଂଗ୍ରାମୀ ବିରୋଧ କାହିଁ
ଚତୁର୍ଥ ସ୍ତମ୍ଭର ଫୁଙ୍ଗୁଳା ଶରୀରେ
ଦିଶେ ଜକ ଜକ ହୋଇ ।।
ମଧୁ ଗୋପବନ୍ଧୁ ଡାକିବେ କାହାକୁ
ଉଠ ଉଠ ବନ୍ଧୁ ଜାଗ୍ରତ ହେବାକୁ
ଦେଶ ପ୍ରେମୀ ଜଣେ କାହିଁ
ଦୁର୍ନୀତି ଦୁଷ୍କର୍ମ ନିଶା ବଳୟରେ
ସଭିଏଁ ଗଲେଣି ଶୋଇ ।।
ତଥାପି ସକାଳ ସମ୍ଭାବନା ସୂର୍ଯ୍ୟ
ବୁଣିଦେଉ ଆଶା କିରଣ ମୁରୁଜ
ଉଦ୍ଦୀପନା ଗୀତ ଗାଇ
ଜାଗ୍ରତ ଓଡ଼ିଆ ଜନତାର ସ୍ୱର
କୋଟି ହୃଦ ଦେଉ ଛୁଇଁ
କୋଟି ହୃଦ ଦେଉ ଛୁଇଁ ।।
ପ୍ରଶାନ୍ତ କୁମାର ସେଠୀ, ଭଦ୍ରକ