ବିଶ୍ବପତି ତୁମେ
ବ’। ଆଦ୍ୟାନୁପ୍ରାସ ଯମକ ଅଳଙ୍କାର
ବରଜ ବରଜମଣି ପ୍ରଭାତୁ ବରଜପୁର
ବାସ ତେଜ ବାସ ପିନ୍ଧି ମାଖି ହେ ବାସ ଅତର।।
ବଉଳ ଅପେକ୍ଷିତ ଛନ୍ତି ବଉଳ ମୂଳେ
ବର ତୁମେ ସଭିଙ୍କର ବର ହେ ଭାବ ଭୋଳେ।।
ବସନ୍ତେ ଶାଖେ ବସି ଗାଏ ବସନ୍ତ ଘୋଷ
ବିଭାବରୀ ଅନ୍ତେ ମନୁ ଦୂରିତ ହେଲା ବିରସ।।
ବୈବସ୍ଵତ ଆନନ୍ଦରେ ଦେଖ କର ବିତରେ
ବାସୁଦେବ କୃଷ୍ଣ ସେଯେ ଗୋପୀ କରକୁ ଧରେ।।
ବସୁଦେବ ସୁତ ପରା ରଙ୍ଗ ରସିଆ
ବ୍ରଜନାରୀ ମୁଖ ଦିଶି ରଙ୍ଗ ନାଲିଆ।।
ବ୍ରଜେଶ ର ସର୍ବେ ପ୍ରେମ ପରସ ପାଇ
ବ୍ରଜାଙ୍ଗନା ଗଲେ ଲାଜ ସରମ ଖାଇ।।
ବରଣ କରିଲେ ମନେ ସଭିଏଁ ନନ୍ଦ ବାଳ
ବିସ୍ମୟେ ହେଉଛି ମନ ପୁଣି ହୁଏ ଚଞ୍ଚଳ।।
ବର୍ଜନ କରିଲେ ପିଲା ସଂସାର ପୁଣି
ବିଶ୍ବପତି ତୁମେ ଗୋପୀ ହୃଦୟ ମଣି।।
ସୌଦାଗର ବିଶ୍ବାଳ