ଅସତ୍ୟ ସହରେ ସତ୍ୟ ବନ୍ଧା ପଡ଼ିଛି
ଅସତ୍ୟ ସହର ପୂରିଛି ଜହର
ସତ୍ୟ ଆସିବ କାହୁଁ
ସତ୍ୟ ଚନ୍ଦ୍ରମା ର ସୁନ୍ଦର ଲପନେ
ଢାଙ୍କିଛି ଅସତ୍ୟ ରାହୁ।
ମଣିଷ ବୁଣିଛି ଛଳନାର ଜାଲ
ଫସୁଛି ସରଳ ଜନ
ଏକତା ବଦଳେ ଗୋଷ୍ଠୀ କନ୍ଦଳ
ଦଳ ଗତ ବିଭାଜନ।
ବିଶ୍ବାସ ଭରସା ସବୁ ଏଠି ମିଛ
ସ୍ଵାର୍ଥର ଦୀପ ଜଳେ
ଲୁଚି ଯାଏ ସତ୍ୟ ଅସତ୍ୟ ଆକାଶେ
କଳା ମେଘ ଆଢୁଆଳେ।
ଟାଉଟର୍ ପୁଣି ମୁନାଫାର୍ ଯେତେ
ଫାଇଦା ହାସଲ କରି
ବିପଦ ବେଳରେ କୃତ୍ରିମ ଦୟାରେ
ତଣ୍ଟି କାଟେ ଅଣ୍ଟି ଛୁରୀ।
ସତ୍ୟ ପାଇଁ ଲୋଡା କ୍ରୁଶ ଗୋଟିଏ
ସେହି ତ! ତାହାର ସଜା
କାରାଗାର ହୁଏ ଜୀବନ କାହାଣୀ
ଅସତ୍ୟର ଉଡେ ଧ୍ଵଜା।
ଅସତ୍ୟ ସହର ଅନ୍ଧାର ଗଳି
ଅନ୍ଧାର ରାଜୁତି ଚାଲେ
ସତ୍ୟକୁ ଖୋଜି ନୟାନ୍ତ ମଣିଷ
ଫାଶୀ ର ଖୁଣ୍ଟରେ ଝୁଲେ।
ନଳିନୀ ପ୍ରଭା ମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ