ଅସ୍ପୃଶ୍ୟ ଶବ
ଶୂନଶାନ ଗାଁ ଦାଣ୍ଡ
ନିର୍ଜ୍ଜନତାର ନୀରବ ଆସ୍ତରଣ
ଘେରିଛି ଚତୁର୍ଦ୍ଦିଗରେ
ଘରେ ଘରେ ମୃଦୁ ଗୁଞ୍ଜରଣ
ସୁନାମି କି ରଚିଛି ପ୍ରଳୟ
ଧୀର ଅସ୍ପଷ୍ଟ କଥନରେ ।।
କାହୁଁ ବାଳ କାହୁଁ ଯୁବା
ସ୍ଥବିରେ ବି ସାଜିଛନ୍ତି ଜଡ଼
କେଉଁ ଏକ ଅଚିହ୍ନା ବେମାରେ
ସର୍ବେ ଆକ୍ରାନ୍ତ ସର୍ବେ ଆହତ
ପାଦେ ବେଡି ହାତେ ବନ୍ଧା କଡ଼ି
ଇଛା ନାହିଁ କରିବା ଆହାଃ ରେ ।।
ଉତ୍କଟ ଦାରିଦ୍ର୍ୟର କଷାଘାତ
ନିଃସଙ୍ଗ ଜୀବନ ଯାପନ
କ’ଣ ସାମାଜିକତାର ପରିପ୍ରକାଶ!
ୟାଠୁ ବେଶ ଭଲ ହେବ
ପୁଣି ଆଦିମ ମଣିଷ ହେବା
ପ୍ରକୃତିକୁ ସର୍ବଶ୍ରେଷ୍ଠ ଆୟୁଧ କରିବା ।।
ତଥାପି ଜୀଉଁଥିଲା ସନିଆ କେଉଟ
ଗାଁଆକୁ ସୁରକ୍ଷା ବଳୟ ଭାବି
ଗ୍ରାମବାସୀଙ୍କୁ ବନ୍ଧୁ ପରିଜନ ମଣି
ଆଜି ନିଶ୍ଚଳ ନିର୍ବିକାର ଜୀବଶୂନ୍ୟ
ପଡ଼ିଛି ଗାଁଆ ମଝିଟାରେ
ବନ୍ଦ ହୋଇଛି ହୃତସ୍ପନ୍ଦନ ।।
ତା’ ଶିରାରେ ପ୍ରବାହିତ ନାଲିରକ୍ତ
ତୁମ ଆଉ ମୋର ଭଳି
ଆଖି କାନ ନାକ ଠିକ ମଣିଷଭଳି
ଶାଗୁଣା ବିଲୁଆ ନିକଟତର ତାର
ନିହାତି ଆତ୍ମୀୟ ସତେକି
ସାଜିଛନ୍ତି କୁଆ ଚିଲ ବ୍ୟାକ୍ଟେରିଆ ।।
ପିମ୍ପୁଡ଼ି ଲାଗିଛନ୍ତି ଧାରଧାର ହୋଇ
ପଶୁପକ୍ଷୀ କୀଟପତଙ୍ଗ ଡେଇଁଛନ୍ତି
ଜାତିଆଣର ଅଭେଦ୍ୟ ପ୍ରାଚୀର
ମାତ୍ର ଦୂରେ ବହୁଦୂରେ କୁଣ୍ଠିତ ଛୁଇଁବାକୁ
ବୋଧଜ୍ଞାନ ରହିତ ବିଜ୍ଞାନୀ ମଣିଷ
ଏ କାଳେ ଅଜାତି *ଅସ୍ପୃଶ୍ୟ ଶବ*।।
ସରସ୍ବତୀ ନାୟକ
ପୁରୀ
୮୮୪୭୮୨୪୭୨୯