ଶୁକ୍ତି
ନଳିନୀ ପ୍ରଭା ମିଶ୍ର
ଶୁକ୍ତିଟିଏ ମୁଁ ମୁକ୍ତାକାଶ ତଳେ
ବେଳାଭୂମି ଦେହ ଚୁମି
ବିସ୍ତୀର୍ଣ୍ଣ ବାଲୁକା ପ୍ରାନ୍ତର ଉପରେ
ଇତଃସ୍ତତଃ ଯାଏ ଭ୍ରମି।
ସାଗର ଗରଭ ଜନ୍ମ ସ୍ଥାନଟି
ଲାଗେ ନାହିଁ ଭଲ ଜମା
ମୁକ୍ତ ଜୀବନକୁ ଖୋଜି ଖୋଜି
ଆସେ ଛୁଇଁ ସାଗରର ସୀମା।
ପ୍ରତୀକ୍ଷା ମୋହର ସେହି ମୂହୁର୍ତ୍ତ କୁ
ଶୁଭ ସ୍ଵାତୀ ଲଗ୍ନ ଯୋଗ
ବାରିଦ ସାଥୀରେ ମୋ ଶରୀରେ
ହେବ ମିଳନର ସେ। ସଂଭୋଗ।
ମୋ ଗର୍ଭେ ହୁଏ ମୋତିର ସର୍ଜନା
ମୂଲ୍ୟବାନ ଧାତୁ ନାମେ
ନାରୀର ଭୂଷଣ ଅଙ୍ଗ ଝଲସାଏ
ସୂକ୍ଷ୍ମ କାରିଗରୀ କାମେ।
କୁଟୀର ଶିଳ୍ପ ର ସହାୟକ ହୁଏ
ଘର ସଜାଇବା ପାଇଁ
ନାନାଦି ଜିନିଷ ଗଢିଥାଏ ଶିଳ୍ପୀ
କେତେ ରୂପ ରଙ୍ଗ ଦେଇ।
ଗୃହପୋକରଣେ ହୁଏ ଦରକାରୀ
ଆମ୍ବ କଟା କାମରେ ଲାଗେ
ଶିଶୁ ନାଭି ଚ୍ଛେଦ ପାଇଁ ଲୋଡା
ହୁଏ ଜାଣିଥାଅ ମୋତେ ସର୍ବେ।
ମଣି ଥାଅ ମୋତେ ବର୍ଜ୍ୟ ବସ୍ତୁ
ରୂପେ କିନ୍ତୁ ମୁହିଁ ଦରକାରୀ
ମୁକ୍ତା ବିହୀନ ହେଲେ ହେଁ ରହିଛି
ପର ଉପକାର କରି।
ମୁକ୍ତା ନେଇ ଲୁଟି ଦିଅ ମୋତେ
ଭେଟି ଶୂନ୍ୟ ଗର୍ଭ କରି ଦେଇ
ତଥାପି ନିର୍ଜୀବ ହୋଇ ପଡିଥାଏ
ଜନ ସମାଜର ପାଇଁ।
ରହିଯାଏ ସ୍ମୃତି ଦିନ ଯାଏ ବିତି
ବେଳା ଭୂମି କରି ଆଶ୍ରା
ଶୂନ୍ୟ ଶାମୁକା ମୁଁ ପଡ଼ି ରହିଥାଏ
ନିଃସଙ୍ଗତା ମୋର ଭାଷା।
ଶାମୁକା ଟିଏ ମୁଁ ପଡ଼ି ରହିଥାଏ
ଗେଣ୍ଡା ଠାରୁ ସୂଷ୍ଟି ହୋଇ
ମୋର ଅବଦାନ ଜନ ସମାଜକୁ
ଯାହାର ତୁଳନା ନାହିଁ।
ମୋହ ଠାରୁ ଶିଖ ତ୍ୟାଗ ପଣ ସଦା
ନିଃସ୍ୱାର୍ଥପର ତା ବହି
ତ୍ୟାଗ ଠାରୁ ବଳି ମହାନୁଭବତା
ଜଗତରେ ଶ୍ରେଷ୍ଠ କାହିଁ।
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ
ମୋ-୯୭୭୭୮୮୭୯୪୨