ଅମର କେ ଅଛି ମରତ ଧାମେ
ରକ୍ତ ମାଂସ ଦେହି ନର ଜନ୍ମ ବହି
ଅମର କେ ଅଛି ମର୍ତ୍ତ୍ୟ ଭୁବନେ,
କର୍ମ ଏକା ତା’ର କରଇ ଅମର
ଜୀବନ ଚାଳେଯେ ସତ୍ୟସାଧନେ।
କର୍ତ୍ତବ୍ୟ ଯେ ଜନ ମଣେ ଭଗବାନ
ପୁଣ୍ୟ କର୍ମେ ଧନ୍ୟ କରେ ଜୀବନ,
ପାପେ କଦାଚନ ନ ହୁଏ ମଗନ
ସବୁ ବେଳ ତା’ର ଶୁଭ ଲଗନ!
ଅକାରଣେ କ୍ଷୟ ନ କରେ ସମୟ
ମୁହୂର୍ତ୍ତ ମହତ୍ୱ ବୁଝେ ତା ଜ୍ଞାନେ,
ରକ୍ତ ମାଂସ ଦେହି ନର ଜନ୍ମ ବହି
ଅମର କେ ଅଛି ମର୍ତ୍ତ୍ୟ ଭୁବନେ!
ଧନ୍ୟ ସେ ମାନବ ବିଶ୍ୱ ସାର ଜୀବ
କୋଟି ତପସ୍ୟାର ପ୍ରାପତ ଫଳ,
ସାର ଜନ୍ମ ପାଇ ଛାର ହେବ କାହିଁ
ପାପେ ହରାଇବ ତପର ବଳ,
ଭକ୍ତିରେ ସୁଦାମା ମୁକ୍ତିରେ ମହାତ୍ମା
ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ ଗାଥା,
ନୀତିରେ ଶକ୍ତିରେ କୃତି ପ୍ରବୃତ୍ତିରେ
ସତ୍ୟ ସାଧନର ଦେଲେ ବାରତା,
ବିବେକା ନନ୍ଦଙ୍କ ମାନବ ବାଦର
ଅମର ପ୍ରେମକୁ କିଏ ନ ଜାଣେ,
କର୍ମ ଏକା ତା’ର କରଇ ଅମର
ଜୀବନ ଚାଳେଯେ ସତ୍ୟ ସାଧନେ।
ସତ୍ୟ ବ୍ରତ କରି ବିଶ୍ୱ ନର ନାରୀ
ଜଗତ ଜନଙ୍କୁ ଦେଖାଏ ରାହା,
ମରଣାନ୍ତେ ନର ହୁଅଇ ଅମର
ଜୀବନ କାଳର ଜଗତ ସାହା।
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ