ଅଫେରା ଗାଡ଼ି
ଛଅ ଖଣ୍ଡ ବାଉଁଶ ପାଳ ଦଉଡ଼ିରେ
ବନେଇ ଦିଅ ଅଫେରା ଗାଡ଼ି
ଥରେ ଗଡିଗଲେ ଆଉ ଫେରେନା
ମଶାଣି ଭୁଇଁ ତା ଶେଷ ଠିକଣା
ଅଫେରା ରାଇଜରୁ ଡକରା ଆସିଛି
ସେ ଯିବ ବାହୁଡ଼ି
ବନେଇ ଦିଅ ଅଫେରା ଗାଡ଼ି ।
ଲିଭିଗଲା ଆଜି ଶେଷ ଦୀପ ତା’ର
ଏନ୍ତୁଡ଼ିଶାଳ ବି ହଜିଛି
ପାପ ପୁଣ୍ୟର ହିସାବ କିତାବ
ଆଜି ତା’ର ସରିଛି।
ହଳଦୀ ପାଣିରେ ଗାଧେଇ ଦିଅ
ସଜେଇ ସାଜେଇ ଦେହକୁ ତା’ର
ଅଫେରା ଗାଡ଼ିରେ ଦିଅ ଶୁଆଇ
ବନ୍ଧୁ ପରିଜନ ମୁଠାଏ ମାଟି
ଦେବେ ମୁହଁରେ
ଖଇ କଉଡ଼ି ଉପରେ ବିଞ୍ଚି
ଅମୃତ ନାମ ତୁଣ୍ଡେ ଧରିବେ
ଅଫେର ଗାଡ଼ିକୁ କାନ୍ଧରେ ଥୋଇ
ମଶାଣି ଭୁଇଁ ବାହୁଡି ଯିବେ।
ଅଫେରା ଗାଡ଼ି ନାଁ ଟି ତା’ର
ଚକା କି ଇଞ୍ଜିନି ନାହିଁ ସେଥିରେ
ନିରବ ନିଶ୍ଚଳ ହୋଇ ଯାତ୍ରୀ ଶୁଆଇ
କାନ୍ଧରେ ରଖିଲେ ଗାଡ଼ି ଗଡିବ
ଶେଷ ଠିକଣାରେ ପହଞ୍ଚି ଯିବ
ଫେରିବ ନାହିଁ ସେ ଅଫେରା ଗାଡ଼ି
ଶେଷ ଯାତ୍ରାର ସେ ଶେଷ ସବାରୀ ।
ଜଗମୋହନ ପ୍ରଧାନ
ବଡ଼ଚଣା, ଯାଜପୁର