ପ୍ରୀତି ପାନ୍ଥଶାଳା
ଯେଉଁଠି ହଜିଛି ସାତ ସମୁଦ୍ର ସମେତ,
ଆମାଜନ ମିସୋରୀ ମିସିସିପି ପୁଣି
ହୋୟାଂହୋ ନଦୀର ନୀଳ ଇଚ୍ଛା ଉଛ୍ବାସ…..
କାନ ଡେରିଲେ ଶୁଭିଯାଏ ଯହିଁ ହେନ୍ତାଳ ବିଥିର
ଅତିଥି ସ୍ୱାଗତ ସଙ୍ଗୀତ
ନୀଳପରି ଟିଏ ଅବା ଡାକୁଥାଏ ହାତ ଠାରି
ଶୁଣାଇବାକୁ ବିଗତ ଦିନର ଅବ୍ୟକ୍ତ ଦୁଃଖ…..
ଯାହାର ମୃଦୁ ମନ୍ଦ ଶୀତୁଆ ପବନ
ଓଳାଇଦିଏ ମନରୁ ସବୁ ଦୁଃଖ
ବାଣ୍ଟି ଚାଲେ ଅଭିଆଡି ଫୁଲର ମିଠା ଖୁସବୁ
ବିଭୋର କରେ ଅକପଟ ବାତ୍ସଲ୍ୟ ରେ….
ରାତି ଯେବେ ଗାଢ଼ ହୁଏ ସୋଇଯାଏ ସେ ଘଡ଼ିଆଳ ପିଠିରେ
ହେଲେ ମାଂସ ଲୋଭି ଜହ୍ଲାଦ ଶିକାରୀ
ଜୋର କରି ଛଡାଇ ନିଏ ତାର ମୂଲ୍ୟବାନ ନିଦ….
ସାଇବେରିଆନ ପକ୍ଷୀ ମାନଙ୍କର ପ୍ରୀତି ପାନ୍ଥଶାଳା
ଚିଲିକାର ନୀଳ ଗାଲ ଉପରେ କଳାଜାଇ ପରି
ବିଦ୍ୟମାନ ଏକ ପାହାଡ଼, ଯେଉଁଠି
ରାତି ନ ପାହୁଣୁ ବିଗୁଲ ର ତାଳେ ତାଳେ ଭାସିଆସେ
କେଉଁ ଏକ ହତଭାଗିନୀ ର
କଇଁ କଇଁ ଅସହାୟ ଉତ୍ସର୍ଗ କ୍ରନ୍ଦନ
ତ ପୁଣି ଝୁମ୍ପୁଡିଆ ଶତାବ୍ଦୀର ସୂର୍ଯ୍ୟବଂଶୀ ସାମ୍ରାଟଙ୍କ
ଅସ୍ତଗାମୀ ତୁର୍ଯ୍ୟନାଦ
ବଖାଣିବାକୁ ସେହି ଲଜ୍ଜା ପୂର୍ଣ୍ଣ ଇତିହାସ…
କମନୀୟ ଅପରୂପା ରମଣୀ ଅବା ସେ ଚିଲିକା
ଯାହାର ନୀଳ ଢେଉରେ ପ୍ରତିଭାତ ହୁଏ
ସାଧବଙ୍କ ଜାଭା ସୁମାତ୍ରା ପ୍ରତ୍ୟାବର୍ତ୍ତନ ବେଳର ଗଜ ଦନ୍ତୀ ତରୀ
ବନ୍ଦାପନା ଶଙ୍ଖ ସାଙ୍ଗକୁ ସାଧବାଣୀ ଙ୍କ ହୁଳହୁଳି…….
ମନୋଜ କୁମାର ପଣ୍ଡା
ପ୍ରତିଷ୍ଠାତା, ସଚିବ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ