#ସ୍ମୃତି_ସକାଳ
***********
ମୁଁ ପରା
ତୁମ ଅଜାଣତରେ
କେବେଠାରୁ ତୁମକୁ
ଆତ୍ମସ୍ଥ କରି ନେଇସାରିଛି ।
ତୁମେ ଅନୁପସ୍ଥିତ
ମୋ ପାଖ ଭୌତିକତାରେ
ତଥାପି ତୁମକୁ ମୁଁ ସବୁଠି ପାଇଛି,
ସବୁଠି ଛୁଇଁଛି ।
ସତେ କି ତୁମ ଉଷ୍ମ ଓଠ
ଆଦ୍ୟ ସକାଳର ଆତ୍ମୀୟତାରେ
ମୋ ଚା’ ପିଆଲାଟେ
ସାଜିଛି !
ତୁମ ଖିଆଲରେ ସଦା ମଗ୍ନ
ଅଭ୍ୟସ୍ତ ଅନ୍ୟମନସ୍କତାରେ ,,
ଜୀଉଁଥାଏ କ୍ରମଶଃ ମୁଁ
ସମୟ ଠାରୁ ଟିକେ ବିଳମ୍ବରେ !
ଦେଖୁ ଦେଖୁ ସମୟ ଟା
ମୋ ଭିତରେ ଅଙ୍କୁରିତ
ତୁମ-ମନସ୍କ ନିଝୁମପଣର
ସୁଯୋଗ ନିଏ,,
ଚଟାପଟ ସେଇ ସୁଯୋଗରେ
ଅତୀତ ହୁଏ,,
ମୋ ଭିତରେ
ତୁମ ପାଇଁ ସମ୍ମୋହିତ
ଛାୟା ନିଦ ଦେଖି
ସିଏ ଅଦୃଶ୍ୟ ହେଉଥାଏ,,
ସମୟ ଉଦ୍ଧତ ବି ହୁଏ !
ତଥାପି,
ସେଇ ଉଦ୍ଧତପଣ
ଏଇଠି ମଥାନତ କରେ,,
ସମୟ ପରାସ୍ତ ହୁଏ !
ତୁମ ସ୍ମୃତିର ଦାଉ ଦାଉ ନିଆଁରେ
ମୋ ଆଶ୍ୱସିତ ସକାଳର
“ଗାଢ଼ ଲାଲ୍ ଚା”
ସନ୍ଧ୍ୟାକୁ ଅତିକ୍ରମ କରେ ,
ପରବର୍ତ୍ତୀ ସକାଳକୁ
ପୂର୍ବବତ ପ୍ରଗଳ୍ଭଟିଏ ସାଜି
ଆଲୁରୁବାଲୁରୁ ହୋଇ
କେତେ କଥା ମୋତେ କହେ,,
ସେମିତି ହିଁ ତାହା ସବୁବେଳେ
ଟକମକ ଫୁଟୁଥାଏ..!
ସମୟର
ଅଦମ୍ୟ ଆସ୍ପର୍ଦ୍ଧା
କେବେ ବି ମୋ ଚା’ ପିଆଲାକୁ
ଥଣ୍ଡା କରି ନ’ପାରେ..!
ଖାଲି ସେତିକି ନୁହେଁ
ତୁମ ଉଷ୍ମ ଓଠ ଚା’ ପିଆଲାରୁ ସଞ୍ଚରିଯାଇ
ମୋ ଅଗଣାର ସକାଳୁଆ ଫୁଲଙ୍କ
ଓଠ ସାଜି ଫିକ ଫିକ ହସେ,
ତୁମ କଅଁଳିଆ ଦୁଇ ପାଦ କାକର-ସିକ୍ତ-ଘାସ ସାଜି
ମୋ ପାଦ ତଳେ ଆଶ୍ଲେଷ ବାଣ୍ଟେ,
ତୁମ ନିଶ୍ୱାସ ମୋର ଠାକୁର ଘର ସକାଳରେ
ଜଳନ୍ତା ଧୂପର ସୁବାଷ ସାଜି ଭୁରୁଭୁରୁ ମହକେ,
ଆଉ ତୁମ ସ୍ମୃତି..?
ମୋର ତମାମ ଦିନ ମାନଙ୍କର
ଆୟୁଷ ସାଜେ ।
ସକାଳର ପରିଦୃଶ୍ୟରେ
ଏମିତି ମୋ ଆଖପାଖର ସ୍ମୃତି
ସେଇ “ଲାଲ୍ ଚା'” ଭଳି
ବେଶ୍ ଜୀବନ୍ତ ହୋଇଉଠେ…
ଆଉ ମୁଁ…..
ସକାଳରୁ ସକାଳକୁ,
ସମୟରୁ ସମୟକୁ
ଅନାୟାସେ ଛୁଇଁ ଯାଉଥାଏ ।
#ଜ୍ଞାନେନ୍ଦ୍ର ପଣ୍ଡା..✍️