#ବିରହର__ରାଗ__ଦୀପିକା
🪔_________🪔
ରୁଦ୍ର ଗ୍ରୀଷ୍ମଟି
କ୍ଳାନ୍ତ ଶ୍ରମିକ ପରି
ବିଶ୍ରାମ ନେଇ
ନିଦ୍ରା ଗଲାପରେ
ବର୍ଷା ବାହାରିଛି ଶୋଭାଯାତ୍ରାରେ
ଓଜାଡି଼ ଦେବାକୁ ତା ତମାମ ବାରିଧାରା
ଏ ସାରା ମର୍ତ୍ତ୍ୟ ପୁର ରେ।
ଶୁଷ୍କ ଟାଙ୍ଗରା ଭୂଇଁ ଅବା
ଥୁଣ୍ଟା ବୃକ୍ଷମାନ
ତାପରୋଧି ପର୍ବତ ହେଉ
ଅବା ବାୟୁମଣ୍ଡଳର ଦହଗଞ୍ଜ
ସଭିଁଏ ଆଜି ଉପକୃତ
ବର୍ଷାର ଆବିର୍ଭାବରେ ।
ମୁୁଁ ବା ବାଦ ପଡନ୍ତି କିପରି ??
ଆଜି ମୁୁଁ ଓଦା
ଖୁବ୍ ଓଦା
ଭିଜି ବର୍ଷା ଜଳରେ
କିନ୍ତୁ ଓଦା କରିପାରିନି
ମୋ ମନର ନିଷିଦ୍ଧ ଶୁଷ୍କ ଇଲାକା
ଯାହା କେବଳ ହେବ ଓଦା
ତୁମକୁ ଝୁରି ଝୁରି
ବାହାରୁଥିବା ମୋ ଆଖି ଲୁହରେ ।
ବର୍ଷା ରାତିରେ ରହିବାକୁ ଇଛା ପ୍ରିୟ ସାଥୀରେ ।
ସବୁ ଇଛାରେ ଯେ
ତାରା ଖସେନି
ଯବନିକା ପଡ଼ିଯାଏ
ଏକା ଚାହିଁ ଚାହିଁ ଅପେକ୍ଷାରେ ।
ତ୍ରିକାଳର କୋହ ଆଉ
ତିନି ପେଗ୍ ଲୁହ ପିଇ
ଭାଙ୍ଗିଲି ଆଜିର ନିର୍ଜଳା ଉପବାସ ।
ଚାତକଟିଏ ମୁୁଁ
କେବଳ ତୁମ ପ୍ରୀତି ବୃଷ୍ଟି ପାଇଁ ଆକାଂକ୍ଷିତ ।
ଯେତେବେଳେ ବର୍ଷା ଗାଏ
ବିରହର ଭୈରବୀ ରାଗ
ଠିକ୍ ସେତିକି ବେଳେ
ଶୁଭେ କାନରେ ମୋର
ତୁମ କ୍ଷୀଣ ସ୍ଵର…….
ଦୀ……………………….ପି………………….କା
ଦୀ……………….ପି……………………କା
ସେଇ ସମ୍ମୋହନ ସ୍ୱରର
ତାନେ ତାନେ
ମୁୁଁ ରାଇ ସାଜି ଦୌଡିବାକୁ ଲାଗେ ,
ମୋ ମନର କୃଷ୍ଣଙ୍କ ସନ୍ଧାନେ।।
ବାତାୟନ ସେପାଖେ
ଚେଷ୍ଟାକରେ ଦେଖିବାକୁ ତୁମକୁ,
କିନ୍ତୁ ହାଏ !!
ନିରାଶ ହୃଦୟେ ଫେରିଆସେ
ଅପେକ୍ଷା କରି ମୋ ଭାଗ୍ୟଫଳକୁ ।
ଦୀପିକା ଦାଶ