.
#ଖଣ୍ଡି_କାଶ
***********
ତୁମ ଗାଁ’ରେ ବାଟ ହୁଡିଥିବା
ସେ ଅଳସୀ ନଈର ଶେଷ ପାହାଚରେ
ଏକୁଟିଆ ବସି ଯେବେ ଯେବେ
ତୁମ ପାଖୁଡ଼ାଏ ପଦ୍ମପାପୁଲିରେ
ତୁମେ ତୋଳି ଧର
ଏମିତି ଆଞ୍ଜୁଳାଏ ପାଣି,
ସେବେ ସେବେ ମୋ ତଣ୍ଟିରେ ଲାଗେ ଆସି
ଖଣ୍ଡି କାଶ କେଉଁଠୁ କେଜାଣି….
ତୁମେ ପାଦ ଧୋଇ ଫେରି ଆସ
ଶେଷ ପାହାଚ ଚାହିଁ ରହେ ପଛରୁ ତୁମକୁ,
ତୁମ ପାଦର ଅଳତା ତାକୁ ଯେ
ଗାଢ଼ ଦାଗ ଦିଏ ;
ସେ ସାଇତି ରଖିବାକୁ ଚାହେଁ ସେ ଚିହ୍ନକୁ….
ତୁମେ ଛୁଇଁ ଥିବା ପାଣିର ବୁନ୍ଦା ସବୁ
ସ୍ରୋତର ବିପରୀତ ଦିଗରେ
ସେଇଠି ପଡି ରହନ୍ତି,
ଅନେକ୍ ବେଳ ଯାଏ
ସୁଅର ନିର୍ଦ୍ଦେଶକୁ ଅବମାନନା କରି….
ସଭିଏଁ କାଇଁ ଭାରି
ଝୁରି ହେଉଥାନ୍ତି ତୁମକୁ ବାରବାର….
ଏବେ
ମୁଁ ଆସେ
ତୁମେ ଗଲାପରେ
ନିର୍ଜନ ଦ୍ବିପ୍ରହରରେ
ତୁମ ଗାଁ ନଈପଠାକୁ ଲୁଚି ଲୁଚି
ନଇ ବାଲିରେ ପାଦ ତାତେ
ସେ କଣ ଅଟକାଇ ପାରିବ ମତେ ?
ମୋ ଖଣ୍ଡି କାଶ ଏବେ ଯାଏଁ
ଲାଖିକି ଥାଏ
ତୁଠର ଶେଷ ପାହାଚକୁ ପଚାରେ ମୁଁ
ଏ ଗାଢ଼ ଦାଗ, ଚିହ୍ନରୁ
ମୋତେ ବି ଧାର୍ ଦେ ଦୁଇ ଧାର ଅଳତା
ନଇକୁ କାକୁତି ହୁଏ
ମୋତେ ଦେ ସେଇ ସବୁ ବୁନ୍ଦାରୁ ଦି ବୁନ୍ଦା ଛୁଇଁବାକୁ
ଯେଉଁଥିରେ ଟିକେ ଆଗରୁ
କେହି ଦେଖୁଥିଲା ତା ମନର ମଣିଷକୁ….
ତା ପାପୁଲିର ଛୁଆଁ କଥା ପଚାରେନା ମତେ,
ତୋତେ ଛୁଇଁଲେ କାଳେ
ବନ୍ଦ ହେଇଯିବ ମୋ ଖଣ୍ଡି କାଶ !!
@ଅଂଶୁମାନ ସାହୁ
~~~~~~~