ମିଠା_ଅପରାଧ
~~~~~~~~~~
ସେଦିନର
ଛାଇ ଲେଉଟାଣି ବେଳ,
ଫେରନ୍ତା ଖରା,
ନଈ କୂଳର ଝାଉଁ ବଣ,
ଦୂର ଦିଗବଳୟ ପାଖେ
ଅସ୍ତଗାମୀ ଅଂଶୁମାନ,
ନାଉରିଆ ବିଦିଆର
ତିନିପୁରୁଷର ସେ ଦଦରା ଡଙ୍ଗା
ଆଉ ତା’ ଗାଢ଼ ବାଦାମୀ ରଙ୍ଗର ଆଖି
ସେବେଠୁଁ ସେ କ୍ଷଣର ମୂକସାକ୍ଷୀ….
ମୁଁ ଜାଣେ, ତୁ ଚମକି ଉଠିବୁ ବୋଲି ;
ସେଦିନ ଏମିତି କଣ ଅପରାଧ ହେଇଥିଲା ଯେ
ସେଥିପାଇଁ ଏତେ ସାରା ସାକ୍ଷୀ !
ଖବର୍ ଦେଇଥିଲି
ତୋ ବଉଳ ହାତରେ
ଥରୁଟିଏ ଆସିବାକୁ ନଈକୂଳ ଆଡ଼େ
ଢେର୍ ସମୟ ଯାଏ
କରିଥିଲି ଅପେକ୍ଷା
ଗୁଡ଼ାଏ କଥା ପଚାରିବି ବୋଲି
ଘୋଷି ହେଉଥିଲି
“ତୁ ନିଇତି
ଆମ ଦାଣ୍ଡ ଦେଇ ଗଲା ବେଳେ
ଝୁଣ୍ଟୁ କାହିଁକି,
ମନ୍ଦିରରେ ଦେଖା ହେଇଗଲେ
କଣେଁଇ କଣେଁଇ
ଚାହୁଁ କାହିଁକି,
ଆଉ ପୁଣି ଚାହୁଁ ଚାହୁଁ
ମୁରୁକି ମୁରୁକି ହସୁ କାହିଁକି ?”
ହେଲେ କାଇଁ
ପଚାରି ପାରିଲିନି ତ
କିଛି ବି !
ତୁ ଖାଲି ପଚାରିଲୁ,
“ମୁଁ ସତରେ ଆସିବି ବୋଲି
ଜାଣିଥିଲ,
ଭାବିଥିଲ ?”
ମୁଁ ବାସ୍ ଏତିକି
କହି ପାରିଲି
” ତୁ ସିନା ଏବେ ଆସିଲୁ,
ତୁ ଆସିବାର ଢେର୍ ଆଗରୁ
ପବନରେ ଭାସି ଆସିଥିଲା
ତୋ ପାପୁଲିରୁ ମେହେନ୍ଦୀର ବାସ୍ନା…. ”
ତୁ ଲାଜରେ ଝାଉଁଳି ପଡୁ ପଡୁ
ମୁଁ ବି ପଡୁଥିଲି ତୋ ପ୍ରେମରେ….
ଆଉ
ମଝି ନଈରୁ ଯେମିତି ଶୁଭୁଥିଲା,
ମୋ ପରି ପୁଅଟିର
ଦି ପଦ କଥାରେ
ତୋ ପରି ଝିଅଟିର
ଲାଜେଇ ଯିବାଠୁଁ
ବଡ ମିଠା ଅପରାଧ
ଆଉ କଣ ବା ହେଇଥାନ୍ତା !
@ ଅଂଶୁମାନ ସାହୁ, ଜଗତସିଂହପୁର, ଓଡ଼ିଶା