ପ୍ରିୟତମା
ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ସଂଜ ହେଲେ ପ୍ରିୟତମା
ମନେ ପଡ ବେଶୀ
ରାତି ହେଲେ ମିଠା ମିଠା ସ୍ବପ୍ନ ନେଇ
କଦମ୍ବ ମୂଳକୁ ଆସ
ରାଧା ପରି ଶୁଣିବାକୁ
ବିରହର ବଂଶୀ।
ପ୍ରିୟତମା
ତୁମେ ମୋର ମୁଖଶାଳା
ମୋ ‘ ହୃଦୟ ଭଗ୍ନ କୋଣାର୍କର
ତୁମେ ମୋର ଚନ୍ଦ୍ରଭାଗା
ଚାରୁ ତଟ, ଅକୁହା ସାଗର
ପ୍ରତୀକ୍ଷିତ ପ୍ରସ୍ଥର ଅହଲ୍ୟା
ଯୁଗ ଯୁଗାନ୍ତର।
ପ୍ରିୟତମା
ତୁମେ ମୋର
ହୈମନ୍ତିକ ଜହ୍ନ
ବିଶ୍ଵାସର ପୂଣ୍ୟ ବୈତରିଣୀ
ଅପ୍ରାପ୍ତିର ନିଷିଦ୍ଧ ନଅର
ହୃଦୟର ସୂକ୍ଷ୍ମ ଅନୁଭବ
ଭାବନାର ପ୍ରଜାପତି
ପ୍ରେମର ଗଜଲ୍ ଅବା
ସ୍ମୃତିର ଫସଲ।
ପ୍ରିୟତମା
ତୁମେ ମୋ ‘ ପ୍ରଥମ ପ୍ରେମ
ପ୍ରଥମ ଦେଖାର
ସମ୍ପର୍କର ଚାରୁ ଶିଳାଲିପି
ମୂକ ସାକ୍ଷୀ ପ୍ରଥମ ପ୍ରେମର।
ପ୍ରିୟତମା
ତୁମେ ମୋର ସ୍ପନ୍ଦିତ ହୃଦୟ
ଅକୁହା ମନର କଥା
କାଳଜୟୀ ସ୍ମୃତିର କବିତା
ପ୍ରେମିକାରୁ ପ୍ରିୟତମା
ପ୍ରଣୟିନୀ ; ମାନସ – ନାୟିକା।
ପ୍ରିୟତମା
ତୁମେ ମୋର
ଇଚ୍ଛାବତୀ ରାଜଜେମା
ମହମହ ଅସ୍ପୁଟ କଳିକା
ସ୍ମୃତିର ଚନ୍ଦନ ବନ
ଘନ ପ୍ରତିଛାୟା
ଚିର ସାଥୀ ବିଶ୍ଵସ୍ତ ପ୍ରେମିକା
ସମ୍ପର୍କର ନିରନ୍ତର ସେତୁଟିଏ
ଜନ୍ମ ଜନ୍ମାନ୍ତର।
ପ୍ରିୟତମା
ତୁମ ପ୍ରତୀକ୍ଷାରେ ବିତାଇଛି
କେତେ ଦିନ ରାତି
ଏକା ଏକା ବଜାଇଛି ବଂଶୀ
କଦମ୍ବ ମୂଳରେ
ତୋଲିଛି ପଦୁଁଅ ଫୁଲ
କାଳିନ୍ଦୀ ଜଳରୁ
ଲେଖିଛି କବିତା କେତେ
ବିରହ ରସରେ, ଭରି ଚିତ୍ରକଳ୍ପ
ଅନୁପ୍ରାସ, ଶ୍ଲେଷ ଓ ଯମକ
ଅବା ବଙ୍ଗଳାଶ୍ରୀ।
ପ୍ରିୟତମା
ତୁମେ ମୋ’ ଦେହର ଛାଇ
ମୋ’ ଆତ୍ମାର ଶେଷ ଇଚ୍ଛା
ଅନନ୍ତ ପିପାସା , ତୁମେ
ମୋ ‘ ନିଃଶ୍ୱାସରେ, ପ୍ରଶ୍ୱାସରେ
ସାରା ହୃଦୟରେ,
ସ୍ମୃତି ଓ ସ୍ୱପ୍ନରେ
ରହିଅଛ ଚିର କାଳ
ଅମଳିନ ପାରିଜାତ ଫୁଲ ପରି –
ସତେଜ, କୋମଳ
ମୋ ‘ ହୃଦୟ ଆକାଶରେ
ଧ୍ରୁବତାରା ପରି।
ଆର୍. ସି ରୋଡ, ଭଞ୍ଜନଗର, ଗଞ୍ଜାମ
ପିନ୍ – 761126