ସନେଟ (ନଈର ଗୀତ)
ଡ. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ଅଳସୀ ନଈର ଅତନ୍ଦ୍ର ଆଖିରେ ଅଳପ ନିଦର ଛାଇ
ହଂସ – ହଁସୁଲୀର ଭାବ ଦେଖି ହସେ ଖାଲି ନପାରି କହି
ଧୀବର ଧୂନ୍ ରେ ଲେଖା କେତେ ଧେନୂପାଲି ଧାଙ୍ଗିଡୀର ଗୀତ
ଧୂଳିରେ ଧସେଇ ପଡେ ମଣ୍ଡେଇ ପାହାଡ ସବୁଜ ପଣତ।
ଲୁଚି ଲୁଚି ଆସେ ନିତି ସଂଜେ ଫଗୁଣର ଚଗଲା ପବନ
ଅଳସ ନଈକୁ ଚୁମେ ଯେବେ ଖେଳିଯାଏ ଦେହେ ଶିହରଣ
ଧୀବରର ଇତିହାସ ଲେଖୁଥାଏ ଦଣ୍ଡେ ରହି ଦଣ୍ଡକିରି
ନଈ କୂଳ ବର ଗଛେ ନୀଡଫେରା ବିହଂଗର ଖିଚିରି ମିଚିରି।
ଏ କୂଳରେ ନାଉରିଆ ଦେଖେ ରାମପାଦ ନଈର ଜଳରେ
ସେ କୂଳରେ ପଦ୍ମାବତୀ ମୃତବତ୍ ଭାସୁଥାଏ ଭୋକିଲା ଦେହରେ
ଭୋକର ଭୂଗୋଳ ଦେଖୁଥାଏ ନଈ ନିତି ନାଉରିଆ ଅଙ୍ଗ
ମାଛରଙ୍କା ଦେହେ ଆହା ଲିଭିଯାଏ ମୀନ ଜୀବନର ରଙ୍ଗ!
ନଈ କେବେ ପାରେ ନାହିଁ ବୁଝି ନାଉରିଆ ହୃଦୟର ଦୁଃଖ
କୁଳୁକୁଳୁ ବହେ ନଈ ଖାଲି ଗାଇ ନିତି ଜୀବନ ସଙ୍ଗୀତ।
ଆର୍. ସି ରୋଡ, ମରାଠୀ ସାହି
ଭଞ୍ଜନଗର, ଗଞ୍ଜାମ, ପିନ୍ – 761126