ଜୀବନ
ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ବିଜୟର ଶୋଭାଯାତ୍ରାରେ ମିଲେଇ ଯାଉଛି
ଗ୍ଲାନିର ରୋଷଣୀ
ବିପର୍ଯ୍ୟୟର ଦୋ ‘ ଛକିରୁ ଲମ୍ବି ଆସେ
ହତାଶିଆ ଦୁଇ କଳା ବେଣୀ,
କୁହେଳୀର ମାୟାବର୍ତ୍ତରେ
ଇନ୍ଦ୍ରଜାଲର ଛମ୍ ଛମ ନୀଳ ପୁଷ୍କରିଣୀ।
ସମୟକୁ ପଚାରନା କିଛି
ମୃତ୍ୟୁ – ପରୱାନା ନେଇ ପତଙ୍ଗ ଉଡୁଛି
ଏବେ ଦୀପଶିଖା ପରେ
ବୃନ୍ତଚ୍ୟୁତ ହେଲା ପରେ ପତ୍ର କେବେ
ଉଡ଼ିବୁଲେ ତମାମ ସହର ରାସ୍ତା
ଖୁସି ବା ଦୁଃଖରେ।
ଧୃତରାଷ୍ଟ୍ର ପରି ଏଠି ସବୁ ନିରବ
ଦର୍ଶକ, ଆଖିରେ ପୁଟୁଳି ବାନ୍ଧି
ବସିଥିବେ ଏକା ଏକା
ଦୁଃଶାସନ ଦ୍ବାରା ଧର୍ଷିତା ହେଉଥିବ ଦ୍ରୌପଦୀ
ବାରମ୍ବାର ଅନ୍ଧାରୀ ମଞ୍ଚରେ
ଆପତ୍ତି ନଥିବା କିଛି ବିଜ୍ଞାନୀ ପାଣ୍ତବେ
ପଶାପାଲି ଗଡୁଥିବ ଯାହା
ଶୂନ୍ୟ ସେଇ ମାଟି ଚତ୍ୱରରେ।
ପଚାରନା ସମୟକୁ କିଛି
କିଏ ବା ଜିତିଲା, ହାରିଗଲା କିଏ
ଜୀବନର ପ୍ରତ୍ୟକ୍ଷ ସମରେ
ବିଜୟ ଓ ପରାଜୟ, ଗ୍ଲାନି ବା ଉଲ୍ଲାସ
ମୁଦ୍ରାର ଦୁଇ ପାର୍ଶ୍ଵ ପରି ଝକମକ
ଓତଃପ୍ରୋତ ଜୀବନର ଭାଷା
ଯୁଝିବାକୁ ହେବ ନିତି
ଏକା ଏକା ଜୀବନ ସମରେ।
ଆର୍.ସି ରୋଡ, ମରାଠୀ ସାହି, ଶିଶୁ ଉଦ୍ୟାନ ନିକଟ,
ଭଞ୍ଜନଗର, ଗଞ୍ଜାମ, ପିନ୍ – ୭୬୧୧୨୬
ଫୋନ – ୯୪୩୭୩୫୮୫୯୬