ବିଶ୍ଵାସର ପ୍ରତିବିମ୍ବ
ଡ଼. ଅଶୋକ କୁମାର ଷଡ଼ଙ୍ଗୀ, ପ୍ରାଧ୍ୟାପକ
ଏକ ପାଦ ଭୂମି ମାଗିଲେ
ଚାପି ହୋଇଯିବ ସବୁ ମାଟି ପାଦ ତଳେ
ଏକ ହାତ ଜାଗା ମାଗିଲେ
ଆବୋରି ଯିବ ସମଗ୍ର ଆକାଶ
ବିଶ୍ଵାସର ପ୍ରତିବିମ୍ବ ଲୁଚିଯିବ
ଆପଣା ଛାଇରେ।
ମାଗିବାକୁ କଣ ବାକି ଅଛି ମାଗ
ଖୋଲା ଅଛି ଛାତି ଆଉ ପାଦ
ମୁକୁଳା ମୋ ‘ ସକଳ ଆୟୁଷ
ମୋ ‘ ଚାରିପାଖକୁ ଲାଗିଥିବା
ନୂଆ ଜାଗା ପାଉଁଶ ହୋଇଛି
ନିଜ ମଶାଣିରେ, ମୁରୁଜ ପରି ଯାହା
ଆଙ୍କୁଛି ମୁଁ ନିଜ ପ୍ରତିଛବି
ଉଈ ଗୁମ୍ଫାର ନିଭୃତ ଆତ୍ମା ଭଳି
ନିଜ ଅଲକ୍ଷରେ।
କେଉଁ ଭାଷାର ବିନୀତ ବିନ୍ୟାସରେ
ସଜାଇବି ମୋର
ଉଜୁଡ଼ା ଅସ୍ତିତ୍ୱର ଶେଷ ସ୍ଵରଲିପି
କେମିତି ବୁଝେଇବି ମୋ ‘ ନିରବିତ
ଉଚ୍ଚାରଣର ଦୃପ୍ତ – ପ୍ରତିଶ୍ରୁତି ?
ରଙ୍ଗହୀନ ଜୀବନକୁ ନେଇ ନାୟକ ସାଜିଛି
ସମୟର ରଙ୍ଗ ମଞ୍ଚେ ଯାହା ହରାଇଛି
ସକଳ ଜୀବନ ଓ ଯନ୍ତ୍ରଣାର ଅନ୍ତଃସ୍ଵର
ଛଡେଇ ନେଇଛି ମୋର
ସକଳ କବିତା
ଶବ୍ଦମୟ ସକଳ ସଂସାର।
ଯେମିତି ବଞ୍ଚିଛି ଖାଲି
ଦୁଃଖମୟ ସ୍ୱଚ୍ଛଳତା ଆଉ
ଆତ୍ମା ପ୍ରବଞ୍ଚନାର ନିର୍ମୋକଟିଏ ଢାଙ୍କି ହୋଇ
ଶବ ଭଳି ଆପାଦ ମସ୍ତକ,
ଯେତିକି ପାଦ ମାଗିବ
ମାଟି ବା ଆକାଶ
ଶୂନ୍ୟତାରେ ଛାଇଯିବ
ସକଳ ବିଶ୍ୱାସ।
ଆର୍.ସି ରୋଡ, ମରାଠୀ ସାହି, ଶିଶୁ ଉଦ୍ୟାନ ନିକଟ,
ଭଞ୍ଜନଗର, ଗଞ୍ଜାମ, ପିନ୍ – ୭୬୧୧୨୬
ଫୋନ – ୯୪୩୭୩୫୮୫୯୬
509 total views, 1 views today