#
**ଏକ କପ୍ କଫି**
ବସି ଥିଲେ ଯେବେ ରେଷ୍ଟୁରାଣ୍ଟ ପାଖେ
ଧରି ଏକ କପ୍ କଫି,
କରୁଥିଲେ କେତେ ଆମେ ବାର୍ତ୍ତାଳାପ
କହୁଥିଲା ଦୁଇ ଆଖି।।
ନିରୀହ ଆଖିରେ ଚାହୁଁ ଥିଲ ଯେବେ
ମୋର ଏ ଦୁଇ ଚକ୍ଷୁ କୁ,
ସ୍ତବ୍ଧ ହୋଇଗଲି କିଛି କ୍ଷଣ ପାଇଁ
ଟାଣିଲ ତୁମ ପାଖକୁ।।
ଲାଜ ଲାଜରେ ଝାଉଁଳି ଗଲି ମୁଁ
ସତେ ଲାଜକୁଳୀ ଲତା,
ଓଠ ଗଲା ଯେବେ ଲାଜରେ ନୀରବି
ନଇଁ ଗଲା ଆପେ ମଥା।।
ଉଠି ପଡ଼ି ଯେବେ ଚାଲି ଯିବାକୁ ମୁଁ
ବ୍ୟସ୍ତ ହୋଇ ପଡ଼ୁଥିଲି,
ପ୍ରେମ ଭିଜା ତୁମ ଦି ଆଖି କୁ ପୁଣି
ଘଡ଼ିଏ ଚାହିଁ ରହିଲି।।
ଭାବୁଥିଲି ଯାହା ପାଇଗଲି ଆଜି
ସେତିକି ମୋ ପାଇଁ କାଫି,
ସବୁ ଆଶା ଆଜି ସତ କରିଦେଲା
ଏଇ ଏକ କପ୍ କଫି।।
**ପ୍ରେମଲତା ସାହୁ(ଖୁକୁନି)**
**ନୂଆବନ୍ଧ,ଆଠଗଡ,କଟକ**