ସେ ତ ଭକତ ଭାବରେ ବନ୍ଧା
ଭକ୍ତର ଭାବରେ ବନ୍ଧା ଯେ ଠାକୁରେ
ଯୁଗେ ଯୁଗେ ପ୍ରମାଣିତ ,
ଦିଅନ୍ତି ଭକ୍ତରେ ସ୍ଥାନ ଅନ୍ତରରେ
ଏକଥା ଜନ ବିଦିତ ।
ଭକ୍ତଗଣ ଭାବ ପ୍ରହଲ୍ଲାଦ ଧୃବ
ସ୍ବୟଂ ସମର୍ପିତ ହୋଇ ,
ପ୍ରଭୂଙ୍କ ହୃଦରେ ସ୍ଥାନ ପାଇବାରେ
ହୋଇଛନ୍ତି ମୃତ୍ଯୁଞ୍ଜୟୀ ।
ଆଉ ଜଣେ ଭକ୍ତ ବଳରାମ ଦାସ
ପ୍ରିୟ ସେ ମହାପ୍ରଭୂଙ୍କ ,
ତାଙ୍କ ସମ୍ବନ୍ଧୀୟ କାହାଣୀ ଯେ ଦ୍ବୟ
ଏ କବିତାରେ ସ୍ଥାନିତ ।
ଗଜପତି ପ୍ରତାପରୁଦ୍ର ଦେବଙ୍କ
ମନ୍ତ୍ରୀ ଥିଲେ ବଳରାମ ,
ରାଜକାର୍ଯ୍ଯ ତ୍ଯଜି ଧର୍ମକାର୍ଯ୍ଯେ ବ୍ରତୀ
ହେଲେ ଆସନ୍ତେ ଚୈତନ୍ଯ ।
ତ୍ରେତୟା ଯୁଗରେ ପ୍ରଭୂ ରଘୁବୀରେ
କରି ଦଶାନନ ହତ ,
ବିଭୀଷଣେ ବରି ସେ ଲଙ୍କା ନଗରୀ
ଫେରିବାକୁ ଯେ ଉଦ୍ଯତ ।
ଏମନ୍ତ ସମୟେ ବିଭୀଷଣ କହେ
ପ୍ରଭୂ ଦୟା ରଖିଥାନ୍ତୁ ,
ଜୀବନ ମୋହର ନ ହେଉ ଅସାର
ନିତ୍ଯ ଦର୍ଶନ ଦିଅନ୍ତୁ ।
ସ୍ମିତହାସ୍ଯେ ହସି ଜାନକୀଙ୍କ ପତି
କହନ୍ତି ହେ ବିଭୀଷଣ ,
ନୀଳାଚଳ ଧାମେ ନିତି ପ୍ରତିଦିନେ
ପାଇବ ମୋର ଦର୍ଶନ ।
ପ୍ରତି ନିଶାର୍ଦ୍ଧରେ ନୀଳାଚଳ ଠାରେ
ବିଭୀଷଣ ଆସିଥାନ୍ତି ,
ଶ୍ରୀମହାପ୍ରଭୂଙ୍କୁ ଦର୍ଶନ କରି ସେ
ଲଙ୍କା ନଗରୀ ଫେରନ୍ତି ।
ସେ ଦିନେ ଏମନ୍ତେ ଦର୍ଶନର ଅନ୍ତେ
ଗୁହାରୀ କଲେ ପ୍ରଭୂଙ୍କୁ ,
ଆସେ ପ୍ରତିଦିନ କରଇ ଦର୍ଶନ
ତୁମ କଳା ଶ୍ରୀମୁଖକୁ ।
ତୁମେ ଅନ୍ତର୍ଯ୍ଯାମୀ ମନକଥା ଜାଣି
ବାରେ ଆସନ୍ତ ମୋ ଦ୍ବାର ,
ମୋହ ଗୃହେ ପ୍ରଭୂ ଦେଖନ୍ତି ତୁମକୁ
ଏହି ଅନୁରୋଧ ମୋର ।
ଭକତ ଭାବରେ ବନ୍ଧା ସେ ଠାକୁର
ସ୍ବପ୍ନେ ବଳରାମ ଡାକି ,
କହିଲେ ମୁଁ ଆଜି ଲଙ୍କାକୁ ଯେ ଯିବି
ତୁମେ ମୋ ସାଥେ ଯିବକି ।
ସୁନା ଗଡ଼ୁ ନିଅ ପାଣି ଭରି ଦିଅ
ଆସ ମୋର ପଛେ ପଛେ ,
ଦାସ ବଳରାମ ନକରି ବିଳମ୍ବ
ଗଲେ ଗଡ଼ୁ ଧରି ହାତେ ।
ଦେଖି ବିଭୀଷଣ କରି ଯଥାମାନ୍ଯ
ବିନମ୍ରେ ସ୍ବାଗତ କରି ,
କଳା ମଲ୍ଲୀମାଳ ସଙ୍ଗେ ମୋତିମାଳ
ପିନ୍ଧାଇଲେ ଯତ୍ନ କରି ।
ଆଶିର୍ବାଦ ଦେଇ ବିଭୀଷଣେ ଛାଡ଼ି
ଫେରିଲେ ପ୍ରଭୂ ମନ୍ଦିର ,
ଗଡ଼ୁ ବାଉଳାରେ ରହିଲା ହାତରେ
ଦାସ ବଳରାମଙ୍କର।
ବଡ଼ି ସକାଳରୁ ଖୋଜାଗଲା ଗଡ଼ୁ
ମିଳିଲାନି କାହିଁ ଯେଣୁ ,
ରାଜାଙ୍କପାଖରେ ଫେରାଦହୋଇଲେ
ପୂଜାପଣ୍ଡା ଯାଇ ତେଣୁ ।
ଏମନ୍ତ ସମୟେ ଗଡ଼ୁ ଧରି ହାତେ
ଯାଇ ବଳରାମ ଦାସ ,
କହିଲେ ରାଜାଙ୍କୁ ସ୍ବପନ କଥାକୁ
ଗତ ରାତିର ବୃତ୍ତାନ୍ତ ।
ସେ ପ୍ରତାପରୁଦ୍ର ନକରି ବିଶ୍ବାସ
ଆସନ୍ତି କାଳିଆ ପାଶ ,
ଦେଖିଲେବେକରେମୋତିମାଳସାଥେ
କଳା ମଲ୍ଲୀମାଳ ଏକ ।
ଯୋଡ଼ହସ୍ତେ ରାଜା ମାଗି କ୍ଷମା ଭିକ୍ଷା
ଦାସ ବଳରାମେ ଡାକି ,
କହନ୍ତି ତୁମର ଭକ୍ତି ଯେ ଅପାର
ଏହି ମଲ୍ଲୀମାଳ ସାକ୍ଷୀ ।
ପ୍ରତି ଗୁରୁବାରେ ହୁଏ ଶ୍ରୀମନ୍ଦିରେ
ଭେଟ ଲକ୍ଷ୍ମୀ ନାରାୟଣ ,
ବଳରାମ ଦାସ ହୋଇ ହସ ହସ
କହନ୍ତି ଦେଖିବା ପୁଣ।
ପ୍ରଭୂଙ୍କ ତଥାସ୍ତୁ ଶୁଣି ଲକ୍ଷ୍ମୀମାତା
ହୋଇଗଲେ କ୍ରୋଧାନ୍ବିତ ,
କହିଲେ ସନ୍ତାନ ହୋଇ ତୁ କିପରି
ଚାହୁଁ ଦେଖିବାକୁ ରାସ ।
ଅଭିଶାପ ଏକ ଦିଅଇ ତୋହରେ
ଅନ୍ତିମ କାଳରେ ତୁହି ,
ଶ୍ରୀକ୍ଷେତ୍ରମାଟିରେ ଶେଷ ସମୟରେ
ତୁ ରହି ପାରିବୁ ନାହିଁ ।
ନିଜ ଗ୍ରାମ ଏରବାଙ୍ଗରେ ଶ୍ରୀ ଦାସ
ମନ୍ଦିର ନିର୍ମାଣ କରି ,
ପ୍ରଭୂଙ୍କ ଦର୍ଶନ କ୍ଷୁଧା ମେଣ୍ଟାଇଲେ
ତ୍ରିମୂର୍ତ୍ତୀ ଦର୍ଶନ କରି ।
ଶେଷ ସମୟରେ ଶ୍ରୀକ୍ଷେତ୍ର ଯିବାରେ
ମନ ତାଙ୍କର ବଳିଲା ,
କୁଶଭଦ୍ରା ନଦୀ କୂଳରେ ତାଙ୍କର
ଦେହ ଅବଶ ହୋଇଲା ।
ସେହିଠାରେ ଦାସେ ଲକ୍ଷ୍ମୀନାରାୟଣ
ବୋଲି ଡାକଟିଏ ଦେଲେ ,
ଗରୁଡ଼ ଆରୋହୀ ଲକ୍ଷ୍ମୀ ନାରାୟଣ
ତାଙ୍କ ପାଶେ ପହଁଚିଲେ ।
ଦେଖି ସେ ଯୁଗଳ ମୂର୍ତ୍ତୀ ବଳରାମ
ଛାଡ଼ିଲେ ପିଣ୍ଡରୁ ପ୍ରାଣ ,
କୋଣାର୍କ ନିକଟେ ବେଗୁନିଆ ପାଶେ
ଦ୍ବିତୀୟ ଶ୍ରୀକ୍ଷେତ୍ର ଜାଣ ।
କୌଣସି ମନ୍ଦିରେ ଈଶ୍ବର କି କେବେ
ବାନ୍ଧି ହୋଇ ନରହନ୍ତି ,
ଭକ୍ତର ସର୍ବଦା ଡାକକୁ ଶୁଣିବା
ପାଇଁ କାନ ଡେରିଥାନ୍ତି ।
ଏପରି ସେ ଦିନେ ଶୁଣିଥିଲେ ବନେ
ମୃଗୁଣୀ ବିକଳ ଡାକ ,
ଶୁଣିଥିଲେ ହେଳେ କୁରୁ ସଭାତଳେ
ଦ୍ରୌପଦୀ କହିଲେ ରଖ ।
ଚକ୍ର କେବେ ପୁଣି କେବେ ଗଦା ଧରି
ଭକ୍ତକୁ ଆଶ୍ରୟ ଦ୍ଯନ୍ତି ,
ଭକ୍ତ ତାଙ୍କ ଜୀବ ଜୀବନ ଅଟଇ
ଭକ୍ତ ପାଇଁ ଚାହିଁଥାନ୍ତି ।
ଏ ସୁନ୍ଦର କଥା ଲେଖିଛନ୍ତି ଆମ
ଶ୍ରୀମନ୍ଦିର ପ୍ରଶାସକ ,
କଥାକାର ସାହିତ୍ଯିକ ସେ ଅଟନ୍ତି
ରଞ୍ଜନ କୁମାର ଦାସ ।
ତାଙ୍କରି କଥାକୁ କବିତାରେ ରୂପ
ଦେଲା ଅଧମ ତରୁଣ ,
ଯଦି ଦୋଷ କିଛି ଥାଏ ସୁଧୀଜନେ
ସହୃଦେ କ୍ଷମିବ ପୁଣ।ଯ
ତରୁଣ କୁମାର ମିଶ୍ର ।
ଖଣ୍ଡଗିରି ,ଭୁବନେଶ୍ବର।